ଦେଶରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛନ୍ତି ମୋଦୀ ସରକାର : ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ସାରା ଦେଶ‌ରେ ଅଶାନ୍ତ ପରିସ୍ଥିତି ଦେଖାଦେଇଛି। ଦେଶରେ ଧର୍ମ ଏବଂ ଜାତିକୁ ନେଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛନ୍ତି ମୋଦୀ ସରକାର। ଏପରି କହି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୋମବାର ସୋନିଆ କହିଛନ୍ତି ଦେଶରେ ମୋଦୀ ସରକାର ରାଜନୌତିକ ଧ୍ରୁବିକରଣ ସୃଷ୍ଟି କରିବା ସହ ବର୍ତ୍ତମାନ ଦେଖାଦେଇଥିବା ବିବାଦର ମୂଖ୍ୟ ପାଲଟିଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା।
ସୋନିଆ କହିଛନ୍ତି ବିଜେପି ସରକାର ନିଜର ରାଜନୌତିକ ଫାଇଦା ପାଇଁ ଦେଶରେ ଧର୍ମ ଆଧାରରେ ଉତ୍ତେଜନା ସୃଷ୍ଟି କରୁଛନ୍ତି। ସରକାରଙ୍କ କାମ ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରଖିବା ସହ ଦେଶର ସମ୍ବିଧାନକୁ ରକ୍ଷା କରିବା କିନ୍ତୁ ବିଜେପି ସରକାର ଦେଶର ଜନତାଙ୍କ ମଧ୍ୟରେ ଧର୍ମ ଏବଂ ଜାତିକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି। ଯାହା ବିଜେପିକୁ ରାଜନୈତିକ ଫାଇଦା ଦେଉଛି।
ବିଜେପି ସରକାର ଦେଶକୁ ଘୃଣାର ନର୍କକୁ ଢେଲିଦେଇଛି। ତ୍ରିପୁରା,ମେଘାଳୟ ଏବଂ ଆସାମ ହିସାଂର ନିଆଁରେ ଜଳୁଛି , ଆସାମରେ ପୁଲିସ ଜନସାଧାରଣଙ୍କ ଉପରକୁ ଗୁଳି ଚଳାଉଛି କିନ୍ତୁ କେନ୍ଦ୍ରସରକାରଙ୍କ ଚିନ୍ତା ନାହିଁ ବରଂ ନିର୍ବାଚନୀ ସଭାରେ ଦେଶରେ ପରିସ୍ଥିତି ଭଲ ଥିବା କହୁଛନ୍ତି ଗୃହମନ୍ତ୍ରୀ ଶାହା। ଯଦି ଶାହାଙ୍କର ଦମ୍ ଅଛି ତେବେ ଉତ୍ତର ପୂର୍ବ ରାଜ୍ୟ ଗସ୍ତ କରିଦେଖାନ୍ତୁ ବୋଲି ସୋନିଆ କହିଛନ୍ତି।

Comments are closed.