ମୋଦୀ ସରକାର ୨.୦ରେ ୬ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପଦ ଏବଂ ଗୋପନୀୟତାର ଶପଥ ନେଇ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି। ୫୮ ସଦସ୍ୟ ବିଶିଷ୍ଟ ତାଙ୍କ ମନ୍ତ୍ରିମଣ୍ଡଳରେ ୬ ଜଣ ମହିଳାଙ୍କୁ ସ୍ଥାନ ମିଳିଛି। ସେମାନଙ୍କ ମଧ୍ୟରେ ୩ ଜଣ କ୍ୟାବିନେଟ ଓ ୩ ଜଣ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି।
୩ ମହିଳା କ୍ୟାବିନେଟ ମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଏବଂ ହରସିମରତ କୌର ବାଦଲ। ନିର୍ମଳା ସୀତାରମଣ ଏବେ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି। ମୋଦୀ ସରକାରରେ ସେ ପ୍ରଥମେ ବାଣିଜ୍ୟ ମନ୍ତ୍ରୀ (ସ୍ୱାଧୀନ) ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ପଦୋନ୍ନତି ଦିଆଯାଇ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ସେ ରାଜ୍ୟସଭାରେ ସାଂସଦ ଅଛନ୍ତି। ଦ୍ୱିତୀୟ ମହିଳା ଭାବେ ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।
ସେହିପରି ସ୍ମୃତି ଇରାନୀ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଥିଲେ। ପରେ ତାଙ୍କୁ ବୟନ ଶିଳ୍ପ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନରେ ଅମେଠି ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କୁ ହରାଇବା ପରେ ତାଙ୍କୁ ପୁଣି ଥରେ କ୍ୟାବିନେଟରେ ସ୍ଥାନ ମିଳିଛି।
ହରସିମରତ କୌର ବାଦଲ ପୂର୍ବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କୁ ଏଥର ବି ସେହି ପଦରେ ରଖାଯାଇଛି। ପୂର୍ବ ସରକାରରେ ସେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ଭାର ସମ୍ଭାଳିଥିଲେ। ହରସିମରତ ହେଉଛନ୍ତି ପଞ୍ଜାବ ଶିରୋମଣି ଅକାଳି ଦଳ ପାର୍ଟିର ସାଂସଦ। ତାଙ୍କ ବାପା ସୁଖବୀର ସିଂହ ବାଦଲ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଥିଲେ।
୩ ମହିଳା ରାଷ୍ଟ୍ର ମନ୍ତ୍ରୀ ହେଲେ ସାଧ୍ୱୀ ନିରଂଜନ ଜ୍ୟୋତି, ଦେବଶ୍ରୀ ଚୌଧୁରୀ ଏବଂ ରେଣୁକା ସିଂହ। ସାଧ୍ୱୀ ଜ୍ୟୋତି ସରକାରଙ୍କ ପ୍ରଥମ କାର୍ଯ୍ୟକାଳୟରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସେ ହରସିମରତ କୌରଙ୍କ ମନ୍ତ୍ରାଳୟରେ କନିଷ୍ଠ ମନ୍ତ୍ରୀ ଥିଲେ। ବାକି ୨ ଜଣ ମହିଳା ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

Comments are closed.