ଏନ୍‍ଡିଏକୁ ମହମୋହନଙ୍କ ତୀବ୍ର ସମାଲୋଚନା

0

ଇନ୍ଦୋର : ରାଫେଲ ଦୁର୍ନୀତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଚାରିଆଡୁ ଘେରିଥିବାବେଳେ ଏବେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସାମିଲ ହୋଇଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ କଡ଼ା ସମାଲୋଚନା କରି ସେ କହିଛନ୍ତି ନରେନ୍ଦ୍ର ମୋଦୀ ସରକାର ଦ୍ୱାରା ସ୍ୱାକ୍ଷରିତ ରାଫେଲ ରାଜିନାମାରେ କିଛି ନା କିଛି ଅନିୟମିତତା ହୋଇଛି। ରାଫେଲ କାରବାର ସମ୍ବନ୍ଧରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ତଦନ୍ତ କରିବା ନେଇ ବିରୋଧୀ ଦଳଗୁଡିକର ଦାବିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ବାରମ୍ବାର ଏଡ଼ାଇଯାଉଥିବାରୁ ମନମୋହନ ଭର୍ତ୍ସନା କରିଛନ୍ତି। ନିର୍ବାଚନାଭିମୁଖୀ ମଧ୍ୟପ୍ରଦେଶରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଫେଲ କାରବାରକୁ ନେଇ ଲୋକେ ଅନ୍ଧକାର ମଧ୍ୟରେ ଥିବାବେଳେ ଜେପିସି ତଦନ୍ତ ପାଇଁ ବିରୋଧୀ ଏବଂ ଅନ୍ୟ ଦଳଗୁଡିକର ଦାବିକୁ ସରକାର ଯେଭଳି ଏଡ଼ାଇଯାଉଛନ୍ତି ସେଥିରୁ ଏହି କରିବାରରେ କିଛି ଅନିୟମିତତା ଥିବା ପ୍ରତୀତ ହେଉଛି। ଅନ୍ୟପଟେ ମୋଦୀ ସରକାର ସମୟରେ ସିବିଆଇ ଏବଂ ସଂସଦର ବିଶ୍ୱସନୀୟତାରେ ଅବନତି ଘଟିଛି। ଗଣତନ୍ତ୍ରକୁ ଦୁର୍ବଳ କରିବା ଲାଗି ଏହି ସରକାର ଯୋଜନାବଦ୍ଧ କାର୍ଯ୍ୟ କରିଛି। ମୋଦୀ ସରକାରଙ୍କ ସମୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାବେଳେ ଆଇନଶୃଙ୍ଖଳା ବିପଦରେ ପଡିଛି। ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ନ ଘଟିଲେ ଇତିହାସ ବର୍ତ୍ତମାନର ପିଢିକୁ କେବେ କ୍ଷମା ଦେବ ନାହିଁ ବୋଲି ସେ କହିଛନ୍ତି।

Leave A Reply