ନାଗରିକତା ଆଇନ ଉପରେ ପ୍ରଥମ ଥର ମୁହଁ ଖୋଲିଲେ ମୋଦୀ; କହିଲେ ପୋଷାକରୁ ଜଣାପଡ଼ିଯାଉଛି ନିଆଁ କିଏ ଲଗାଉଛି

ରାଞ୍ଚି: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ କଡ଼ା ବିରୋଧ କରାଯାଉଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ମୋଦୀ କହିଛନ୍ତି, ଯେଉଁମାନେ ଏହି ନିଆଁ ଲଗାଉଛନ୍ତି ସେମାନଙ୍କ ପୋଷାକରୁ ଜଣାପଡ଼ି ଯାଉଛି ସେମାନେ କିଏ।

ଝାଡ଼ଖଣ୍ଡର ଦୁମୁକାରେ ନିର୍ବାଚନୀ ପ୍ରଚାର ବେଳେ ମୋଦୀ କହିଥିଲେ, କଂଗ୍ରେସ ବିଜେପି ବିଜେପିକୁ ବିରୋଧ କରୁ କରୁ ନିଜର ସୀମା ଲଙ୍ଘିଯାଉଛି। ନାଗରିକତା ବିଲ୍‌ ବିରୋଧରେ କଂଗ୍ରେସ ଏବଂ ତା’ର ସହଯୋଗୀ ହୋହଲ୍ଲା କରୁଛନ୍ତି। ଦେଶରେ ଝଡ଼ ସୃଷ୍ଟି କରୁଛନ୍ତି। ସେମାନଙ୍କ କଥା ରହୁନି ବୋଲି ନିଆଁ ଲଗାଉଛନ୍ତି। ଏ ଯେଉଁ ନିଆଁ ଲଗାଉଛନ୍ତି, ଟିଭିରେ ସେମାନଙ୍କ ଯେଉଁ ଦୃଶ୍ୟ ଆସୁଛି, ନିଆଁ ଲଗାଉଥିବା ବ୍ୟକ୍ତି କେଉଁମାନେ, ସେମାନଙ୍କ ପୋଷାକରୁ ହିଁ ଏହା ଜଣାପଡ଼ିଯାଉଛି।

ମୋଦୀ ଆହୁରି କହିଥିଲେ, ଆମ ସଂସଦ ନାଗରିକତାରେ ଏକ ପରିବର୍ତ୍ତନ ଆଣିଲା, ଫଳରେ ପଡ଼ୋଶୀ ଦେଶରେ ରହୁଥିବା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିୟାନ, ପାର୍ସୀ, ବୌଦ୍ଧ, ଜୈନମାନଙ୍କୁ ନାଗରିକତା ମିଳିପାରିବ। ଏଥିପାଇଁ ସଂସଦର ଉଭୟ ଗୃହ ବହୁମତ ଦେଇ ବିଲ୍‌କୁ ଗୃହୀତ କଲେ। କିନ୍ତୁ କଂଗ୍ରେସ ଏବଂ ତାର ସହଯୋଗୀମାନେ ଏହାକୁ ନେଇ ଝଡ଼ ସୃଷ୍ଟି କରୁଛନ୍ତି।

Comments are closed.