ମୋଦୀ ହଟାଇଲେ ‘କୋଭାକ୍ସିନ’ ଦ୍ବନ୍ଦ୍ବ

ନୂଆଦିଲ୍ଲୀ  : ସୋମବାର ଠାରୁ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନସିପି ମୁଖ୍ୟ ଶରଦ ପୱାର, ସୁପ୍ରିୟା ସୁଲେ ପ୍ରମୁଖ ବ୍ୟକ୍ତି ବିଶେଷ ଟିକା ନେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଉଥିବାବେଳେ ଏହି ବର୍ଗରେ ପ୍ରଧାନମନ୍ତ୍ରୀ ଅନ୍ତର୍ଭୁକ୍ତ ଥିବାରୁ ଟିକା ନେଇଛନ୍ତି। କରୋନା ଟିକା ନେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଦିଲ୍ଲୀ ଏମ୍ସର ଟିକାକରଣ କେନ୍ଦ୍ରରେ ପହଞ୍ଚି ମୋଦୀ ଟିକା ନେଇଥିଲେ। ଏମ୍ସର ଦୁଇ ନର୍ସ ସିଷ୍ଟର ନିବେଦା ଓ ସିଷ୍ଟର ରୋସମା ଅନିଲ ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଥିଲେ। ନିବେଦାଙ୍କ ଘର ପୁଡୁଚେରୀ ହୋଇଥିବାବେଳେ ରୋସମାଙ୍କ ଘର କେରଳ। ଭାରତ ବାୟୋଟେକ୍ ଓ ଆଇସିଏମ୍‌ଆର ଦ୍ବାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଡୋଜ୍‌ ଟିକା ମୋଦୀ ନେଇଥିଲେ। କୋଭାକ୍ସିନ୍‌ ଟିକାର ବିଶ୍ବସନୀୟତାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ଏହି ଟିକାକୁ ନେଇ ଦୃଢ ଜବାବ ଦେଇଛନ୍ତି। ଟିକା ନେବା ପରେ ମୋଦୀ କହିଛନ୍ତି ଯେ ବିରୋଧୀ ନେତା, ନିର୍ବାଚିତ ଜନପ୍ରତିନିଧି ଓ ସାଧାରଣ ଲୋକ ଟିକା ନେବାକୁ ଆଗେଇ ଆସିବା ଦରକାର। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ବଦେଶୀ ଟିକା କୋଭାକ୍ସିନ୍‌ର ପ୍ରସ୍ତୁତି ପାଇଁ ଡାକ୍ତର ଓ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ। କରୋନା ଭଳି ବିଶ୍ବ ମହାମାରୀ ବିରୋଧରେ ଲଢେଇ ପାଇଁ ଆମର ଡାକ୍ତର ଓ ବୈଜ୍ଞାନିକମାନେ କମ୍ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିବା ପ୍ରଶଂସନୀୟ। ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକାକୁ ବ୍ୟାବହାରିକ ଅନୁମତି ଦିଆଯିବାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। କାରଣ ଏହି ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ଫଳ ଆସିନଥିବାବେଳେ ଏହାକୁ ବ୍ୟାବହାରିକ ଅନୁମତି ଦିଆଯାଇଛି। ତେବେ ଜାନୁଆରୀରେ ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡାକ୍ତର କ୍ରିଷ୍ଣା ଏଲା କହିଥିଲେ ଯେ କୋଭାକ୍ସିନ ଟିକା ସମ୍ପୂର୍ଣ୍ଣ ନିରାପଦ। ଏହି ଟିକାକୁ ଭାରତ ବ୍ୟତୀତ ଅନ୍ୟ ୧୨ଟି ଦେଶରେ ପରୀକ୍ଷା କରାଯାଇଛି। ୬୦ବର୍ଷରୁ ଅଧିକ ବୟସର ନାଗରିକ ଓ ଗୁରୁତର ରୋଗରେ ଆକ୍ରାନ୍ତ ୪୫ବର୍ଷରୁ ଅଧିକ ବୟସ୍କ ଓ ଅନ୍ୟ ଯୋଗ୍ୟ ହିତାଧିକାରୀ ଯଥାଶୀଘ୍ର ଟିକା ନେବା ଆବଶ୍ୟକ ବୋଲି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି।
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଚେନ୍ନଇସ୍ଥିତ ଏକ ସରକାରୀ ହସ୍ପିଟାଲରେ ଆଜି କରୋନା ଟିକା ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଦାନ୍ତ ହସ୍ପିଟାଲରେ ଟିକା ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର, ଜିତେନ୍ଦ୍ର ସିଂହ ପ୍ରମୁଖ କରୋନା ଟିକା ନେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ୭୦ତମ ଜନ୍ମ ଦିନରେ କରୋନା ଟିକା ନେଇଛନ୍ତି। ଅପରାହ୍ଣ ପ୍ରାୟ ୧ଟାରେ ନୀତୀଶ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇଥିଲେ।

Comments are closed.