ମହିଳାଙ୍କୁ ଅପମାନ କରିବା କଂଗ୍ରେସ ଓ ଡିଏମକେର ସଂସ୍କୃତି: ମୋଦୀ

ଚେନ୍ନାଇ: ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଦଳୀୟ ରାଲିରେ ଯୋଗଦେଇ ପ୍ରଚାର କରିଛନ୍ତି। ତାମିଲନାଡୁରେ ପ୍ରଚାର ସମୟରେ ମୋଦୀ କଂଗ୍ରେସ ଏବଂ ଡିଏମକେକୁ କଡ଼ା ସମାଲୋଚନା କରିଛନ୍ତି। ମହିଳାଙ୍କୁ ଅପମାନ କରିବା କଂଗ୍ରେସ ଏବଂ ଡିଏମକେର ସଂସ୍କୃତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କେରଳର ପଲକ୍କଡରେ ପ୍ରଥମ ରାଲିରେ ଯୋଗଦେଇ ବିଜେପି ପ୍ରାର୍ଥୀ ତଥା ମେଟ୍ରୋମ୍ୟାନ ଭାବେ ଜଣାଶୁଣା ଇଂ. ଶ୍ରୀଧରନଙ୍କ ପାଇଁ ପ୍ରଚାର କରିଛନ୍ତି। ସେଠାରୁ ତାମିଲନାଡୁର ଧାରାପୁରମ ଯାଇ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ସହିତ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ।

ଏଠାରେ ଆୟୋଜିତ ଦଳୀୟ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଗାମୀ କିଛି ଦିନରେ ତାମିଲନାଡୁ ନୂଆ ବିଧାନସଭା ପାଇଁ ମତଦାନ କରିବ। ଏନଡିଏ ପରିବାର ରାଜ୍ୟବାସୀଙ୍କ ସେବା କରିବା ପାଇଁ ଆପଣମାନଙ୍କ ଆଶୀର୍ବାଦ ମାଗୁଛି। ଆମେ ବହୁମୁଖୀ ବିକାଶର ଏଜେଣ୍ଡା ନେଇ ଆପଣଙ୍କୁ ଭୋଟ ମାଗୁଛୁ, ଯାହା ଏମଜିଆର ଏବଂ ଜୟ ଲଳିତାଙ୍କ ଆଦର୍ଶ ଉପରେ ଆଧାରିତ। ଗୋଟିଏ ପଟେ ଏନଡିଏର ବିକାଶ ଆଧାରିତ ଏଜେଣ୍ଡା ଥିବାବେଳେ ଅନ୍ୟପଟେ କଂଗ୍ରେସ ଏବଂ ଡିଏମକେ ନିଜର କାମ ହାସଲ କରିବାର ଏଜେଣ୍ଡା ନେଇ ଚାଲୁଛନ୍ତି ବୋଲି ମୋଦୀ କହିଥିଲେ।

Comments are closed.