ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

* ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ମଧ୍ୟପ୍ରଦେଶର ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ, ମହାରାଷ୍ଟ୍ରରୁ ନାରାୟଣ ରାଣେ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇପାରନ୍ତି
* ବରୁଣ ଗାନ୍ଧୀ, ଅନୁପ୍ରିୟା ପଟେଲ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ସୁଶିଲ ମୋଦି, ଅଶ୍ୱିନୀ ବୈଷ୍ଣବ, ଜିଭିଏଲ ନରସିଂହା ରାଓଙ୍କ ନାମ ମଧ୍ୟ ଚର୍ଚ୍ଚାରେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଜି ସଂଧ୍ୟାରେ କରାଯିବ । ରାଷ୍ଟ୍ରପତି ଭବନରେ ସଂଧ୍ୟା ୫.୩୦ରୁ ୬ଟା ମଧ୍ୟରେ ଏହା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । କୋଭିଡ-୧୯ ନିୟମ ଅନୁପାଳନ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ୨୦୧୯ରେ ଏନଡିଏ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ । ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ୮୧ ସଦସ୍ୟ ରହିପାରିବା ବ୍ୟବସ୍ଥା ରହିଥିବାବେଳେ ସଂପ୍ରତି ୫୩ ଜଣ ମନ୍ତ୍ରୀ ଅଛନ୍ତି । ଆଉ ୨୮ ମନ୍ତ୍ରୀଙ୍କୁ ସାମିଲ କରାଯାଇପାରିବ ।
ସଂପ୍ରସାରଣରେ ସ୍ଥାନ ପାଇବାକୁ ଥିବା ସମସ୍ତଙ୍କୁ ଅବଗତ କରାଯାଇସାରିଛି ଏବଂ ସେମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ସଂପ୍ରସାରିତ ମନ୍ତ୍ରିମଣ୍ଡଳରେ ଅଧିକ ଯୁବକ ଓ ମହିଳାଙ୍କୁ ନିଆଯିବା ଆପାତତଃ ସ୍ଥିର ହୋଇଛି । ମନ୍ତ୍ରିମଣ୍ଡଳର ନୂଆ ସଦସ୍ୟଙ୍କୁ ମନୋନୀତ କରାଯିବା ପୂର୍ବରୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିବା ଏକ ସୂତ୍ରରୁ ଜଣାଯାଇଛି । ତାହାସହିତ ଦେଶର ସମସ୍ତ ଅଞ୍ଚଳ ଏବଂ ବିଶେଷକରି ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରୁ ମନୋନୀତ ବ୍ୟକ୍ତିଙ୍କୁ ଏହି ସଂପ୍ରସାରଣରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବ ।
ପ୍ରାପ୍ତ ସୂଚନା ଅନୁଯାୟୀ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ମଧ୍ୟପ୍ରଦେଶର ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ, ମହାରାଷ୍ଟ୍ରର ଭାଜପା ନେତା ନାରାୟଣ ରାଣେ, ଭାଜପା ସାଂସଦ ବରୁଣ ଗାନ୍ଧୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପୁଅ ରାଜବୀର ସିଂ କେନ୍ଦ୍ର କ୍ୟାବିନେଟରେ ସ୍ଥାନପାଇବା ଆଶା କରାଯାଉଛି ।
ସେହିଭଳି ଅପ୍‍ନା ଦଳ ନେତା ତଥା ସାଂସଦ ଅନୁପ୍ରିୟା ପଟେଲ, ଭାଜପା ସାଂସଦ ସକଳଦୀପ ରାଜଭର, ନିଶିଥ ପରମାଣିକ, ଜେଡି(ୟୁ)ର ଆରସିପି ସିଂ, ଏଲଜେପିର ପଶୁପତି କୁମାର ପାରସ, ଭୁପେନ୍ଦ୍ର ଯାଦବ, ଅନିଲ ବାଲୁନି, ସୁଧାଂଶୁ ତ୍ରିବେଦୀ, ସୁଶିଲ ମୋଦି, ଅଶ୍ୱିନୀ ବୈଷ୍ଣବ ଏବଂ ଜିଭିଏଲ ନରସିଂହା ରାଓଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିବା ଜଣାଯାଇଛି ।

Comments are closed.