ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ପୋର୍ଟାଲ ଡେସ୍କ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନରେନ୍ଦ୍ର ଦାମୋଦରଦାସ ମୋଦୀ ୧୭ ସେପ୍ଟେମ୍ବର ୧୯୫୦ରେ ମେହେସାଣା ଜିଲ୍ଲାର ବଡ଼ନଗରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲା। ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହୀରାବେହେନ ମୋଦୀଙ୍କର ଷଷ୍ଠ ସନ୍ତାନ ମଧ୍ୟରେ ସେ ହେଉଛନ୍ତି ତୃତୀୟ ସନ୍ତାନ। ମୋଦୀ ୨୬ ମଇ ୨୦୧୪ ପରଠାରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ବାରାଣସି ଲୋକସଭା ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୭ ଅକ୍ଟୋବର ୨୦୦୧ ରୁ ୨୨ ମଇ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ମୋଦୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆରଏସଏସର ସଦସ୍ୟ।

ମୋଦୀ ଛାତ୍ରାବସ୍ଥାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଭ୍ୟ ଥିଲେ। ସେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି। ଯୁବାବସ୍ଥାରେ ମୋଦୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇ ଭ୍ରଷ୍ଟାଚାର ବିରୋଧୀ ନବ ନିର୍ମାଣ ଆନ୍ଦୋଳନରେ ଭାଗନେଇଥିଲେ । ୧୯୮୭ ମସିହାରେ ସେ ବିଜେପିରେ ଯୋଗଦାନ କରି ତାଙ୍କର ମୁଖ୍ୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଗୁଜରାଟ ୟୁନିଟର ସାଧାରଣ ସମ୍ପାଦକ ସ୍ତରରେ ଅବତୀର୍ଣ୍ଣ ହୋଇଥିଲେ। ଏହି ସମୟରେ ସେ ଜଣେ ଭଲ ସଂଗଠକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିପାରିଥିଲେ। ସେ ନିଜର ଦଳକୁ ଏକ ଉପଯୁକ୍ତ ମାର୍ଗରେ ପରିଚାଳିତ କରାଇବା ପାଇଁ ଅନେକଗୁଡ଼ିଏ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ଦଳଟି ରାଜନୈତିକ ସଫଳତା ହାସଲ କରିବାକୁ ଲାଗିଲା ଏବଂ ୧୯୯୦ରେ କେନ୍ଦ୍ରରେ ଏକ ମେଣ୍ଟ ସରକାର ଗଠନ ହେଲା ଏହି ସହଭାଗୀତାପୂର୍ଣ୍ଣ ସରକାରଟି ଅଳ୍ପ ମାସ ମଧ୍ୟରେ ଭାଙ୍ଗିଯାଇଥିଲା କିନ୍ତୁ ୧୯୯୫ରେ ବିଜେପି ଗୁଜରାଟରେ ନିଜର ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହେତୁ କ୍ଷମତାକୁ ଆସିଲା ଏହା ପରଠାରୁ ବିଜେପି ଗୁଜରାଟରେ ଶାସନ ଭାର ଚଳାଇ ଆସୁଛି।

ତେବେ ୨୦୨୦ ସେପ୍ଟେଟର ୧୪ରୁ ପ୍ରଧାନମନ୍ତ୍ରୀଙ୍କ ୭୦ ତମ ଜନ୍ମଦିନ ପାଳନ ପାଇଁ ବିଜେପି ଏକ ସପ୍ତାହ ବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ସମଗ୍ର ଦେଶରେ ଦଳର ନେତା ତଥା କର୍ମୀମାନେ ଅନେକ ସାମାଜିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଅଭିଯାନ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଚାପ୍ରାଉଲି ଗ୍ରାମରେ ଦଳର ସଭାପତି ଜେ.ପି ନଡ୍ଡାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ସେପ୍ଟେଟର ୨୦ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ।

Comments are closed.