ଆଡଭାନୀଙ୍କ ଭଳି ମହାନ ନେତାଙ୍କ ପାଇଁ ବିଜେପି ସଫଳ ହୋଇଛି: ମୋଦୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବଡ଼ ଧରଣର ସଫଳତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ସେମାନଙ୍କ ଅବଦାନ ପାଇଁ ଦଳର ଅଭିବୃଦ୍ଧି ଘଟିଥିବା ମୋଦୀ ସ୍ବୀକାର କରିଛନ୍ତି। ସାକ୍ଷାତ ପରେ ମୋଦୀ ଟ୍ବିଟ୍‌ କରି କହିଛନ୍ତି, ଆଡଭାନୀଙ୍କ ଭଳି ମହାନ ନେତାମାନଙ୍କ ଅବଦାନ ଓ ଦଶନ୍ଧି ଦଶନ୍ଧି ଧରି ପରିଶ୍ରମ ପାଇଁ ବିଜେପି ଆଜି ସଫଳ ହୋଇଛି।

ମୋଦୀଙ୍କ ସହ ଅମିତ ଶାହ ମଧ୍ୟ ଉପସ୍ଥିତ ରହିଥିଲେ। ଏହାପରେ ସେମାନେ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ଭେଟିଥିଲେ। ଏହାପରେ ମୋଦୀ ଟ୍ବିଟ୍‌ କରି କହିଛନ୍ତି ଯେ, ‘ଡ. ମୁରଲୀ ମନୋହର ଯୋଶୀ ଜଣେ ବୁଦ୍ଧିଜୀବୀ ସହିତ ଦକ୍ଷ ବ୍ୟକ୍ତି। ଭାରତୀୟ ଶିକ୍ଷା ବ୍ୟବସ୍ଥାର ଉନ୍ନତିରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ସେ ସର୍ବଦା ବିଜେପିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିଛନ୍ତି ଏବଂ ମୋ ଭଳି ଅନେକ କାର୍ଯ୍ୟକର୍ତ୍ତାଙ୍କୁ ପଥ ପ୍ରଦର୍ଶନ କରିଛନ୍ତି। ସକାଳେ ତାଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛି’ ବୋଲି ମୋଦୀ ଲେଖିଛନ୍ତି। ଏହା ସହିତ ମୋଦୀ ସାକ୍ଷାତ ସମୟର ୩ଟି ଫଟୋ ଟ୍ବିଟରରେ ପୋଷ୍ଟ କରିଛନ୍ତି।

ସାକ୍ଷାତ୍‌ ପରେ ଆଡଭାନୀ କହିଛନ୍ତି, ବିଜେପି ଅଧ୍ୟକ୍ଷ ଭାବେ ଅମିତ ଶାହ ଏବଂ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ବିଜେପିର ବାର୍ତ୍ତା ଦେଶର ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚାଇବା ଦିଗରେ ପ୍ରଚୁର ଉଦ୍ୟମ କରିଛନ୍ତି। ଭାରତ ଭଳି ବିଶାଳ ଦେଶରେ ନିର୍ବାଚନୀ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଥିବାରୁ ଏଥିରେ ସାମିଲ ହୋଇଥିବା ଭୋଟର ଏବଂ ସମସ୍ତ ସଂସ୍ଥାଙ୍କୁ ଶୁଭେଚ୍ଛା ଜଣାଉଛି।

Comments are closed.