ପ୍ରଦର୍ଶିତ ହେଲା ‘ଚଲୋ ଜିତେ ହେଁ’ ମୋଦୀଙ୍କ ବାଲ୍ୟଜୀବନର ଗାଥା ବଖାଣିଲା

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲ୍ୟ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ପ୍ରଦର୍ଶନ ଏଠାରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ସୋଆ ଅଡ଼ିଟୋରିୟମ୍‍ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ବଞ୍ଚିତ ଭାରତକୁ ସମ୍ମାନିତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳଚ୍ଚିତ୍ର ଦେଖିବା ପରେ କହିଥିଲେ, ଜଣେ ୧୨ବର୍ଷ ବୟସର ପିଲାର ମନରେ ଉଠିଥିବା ପ୍ରଶ୍ନ ‘କାହା ପାଇଁ ମୁଁ ବଞ୍ଚିବି’ ଦେଶର ସାଧାରଣ ବଞ୍ଚିତ, ଶୋଷିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା। ଗରିବ ମା’ ଆଖିରେ ଲୁହ ଦେଖିଥିବା ମୋଦୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ପୋଛିଛନ୍ତି କୋଟିକୋଟି ମା’ ଆଖିର ଲୁହ। ସେ କହିଥିଲେ ବାଲ୍ୟାବସ୍ଥାରେ ନରେନ୍ଦ୍ର ମୋଦୀଙ୍କ ମନର କଷ୍ଟ, ସମ୍ବେଦନଶୀଳତାରୁ ସବ୍‍କା ସାଥ୍‍ ସବ୍‍କା ବିକାଶ ବିଚାର ଜନ୍ମ ନେଇଥିଲା। ନୂଆ ଓଡ଼ିଶା ବିନା ନୂଆ ଭାରତ ସମ୍ଭବ ନୁହେଁ। ତେଣୁ ନରେନ୍ଦ୍ର ମୋଦୀଙ୍କ ‘ସବ୍‍କା ସାଥ୍‍ ସବ୍‍କା ବିକାଶ’ ବିଚାରକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବାକୁ ପଡ଼ିବ ବୋଲି ସେ କହିଥିଲେ।
୩୨ ମିନିଟ୍‍ ଅବଧିର ଚିତ୍ର ‘ଚଲୋ ଜିତେ ହେଁ’ ପ୍ରଦର୍ଶନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ମଙ୍ଗେଶ ହଦୱାଲେଙ୍କ ପ୍ରସ୍ତୁତ ଏହି ଚିତ୍ରରେ ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶିଶୁ କଳାକାର ଧର୍ଯ୍ୟ ଦର୍ଜି। ଆଜିର ପ୍ରଦର୍ଶନ ଅବସରରେ ଧର୍ଯ୍ୟଙ୍କ ସମେତ ଅନ୍ୟ କଳାକାର ଓ ଟିମ୍‍ ସଦସ୍ୟଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ମୋଦୀଙ୍କ ଚରିତ୍ରରେ ଅଭିନୟ କରି ନିଜକୁ ଧନ୍ୟ ମନେ କରୁଛି ବୋଲି ଧର୍ଯ୍ୟ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

Leave A Reply