‘ମଡ଼ର୍ଣ୍ଣା’ର କୋବିଡ଼-୧୯ ଟିକାକୁ ମିଳିଲା ସଫଳତା; ମୂଷା ଦେହରେ ପ୍ରୟୋଗ ସଫଳ

ଖୁବ୍ ଶୀଘ୍ର ଆସିବ ଟିୀକା: ଗୋଟିକୁ ୨୪00 ଟଙ୍କାରୁ ୨୮00 ଟଙ୍କା ମଧ୍ୟରେ

ୱାଶିଂଟନ: ଆମେରିକାର ଜୈବ ପ୍ରାଦ୍ୟୋଗିକୀ କମ୍ପାନୀ ମଡ଼ର୍ଣ୍ଣ ଫାର୍ମା ଦ୍ବାରା ବିକଶିତ ଟୀକା ମୂଷାମାନଙ୍କୁ କୋବିଡ଼-୧୯ ସଂକ୍ରମଣରୁ ରକ୍ଷା କରିବା​‌ରେ ସଫଳ ସାବ୍ୟସ୍ତ ହୋଇଛି । କୋବିଡ଼-୧୯ ବିଷାଣୁକୁ ପ୍ରତିହତ କରି ମୂଷାମାନଙ୍କୁ ସୁରକ୍ଷିତ ରଖିବାରେ ଏହି ଟୀକା ସଫଳ ହେବା ଦ୍ବାରା ମଣିଷ ଦେହରେ ମଧ୍ୟ ଏହା ସଫଳତା ପୂର୍ବକ କାର୍ଯ୍ୟ କରିବ ବୋଲି ବୈଜ୍ଞାନିକମାନେ ଆଶାପ୍ରକାଶ କରିଛନ୍ତି ।

‘ନେଚର’ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏନ୍ଆରଏନଏ ୧୨୭୩ ନାମକ ଟୀକାର ୧ ମାଇକ୍ରୋଗ୍ରାମର ଦୁଇଟି ଟୀକା ମୂଷାଙ୍କ ଦେହ​‌ରେ ପ୍ରୟୋଗ କରାଯାଇଥିଲା । ପୂର୍ବରୁ ଏହି ମୂଷାମାନଙ୍କ ଦେହରେ କୋଭିଡ଼-୧୯ ଭୂତାଣୁ ପ୍ରବେଶ କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଲା ଯେ ଏମ୍ଆରଏନଏ-୧୨୭୩ ଟୀକା କେବଳ ମୂଷାମାନଙ୍କୁ କୋବିଡ଼-୧୯ ଭୂତାଣୁ ଦ୍ବାରା ଫୁସଫୁସ ସଂକ୍ରମଣରୁ ରକ୍ଷା କରିବାରେ ସକ୍ଷମ ହୋଇନାହିଁ, ପକ୍ଷାନ୍ତରେ ମୂଷା ଦେହରେ ବିଷାଣୁ ନିଷ୍କ୍ରିୟ କରିବାକୁ ସକ୍ଷମ ହୋଇଥିବା ଆଣ୍ଟିବଡ଼ି ମଧ୍ୟ ଉତ୍ପନ୍ନ କରିବାରେ ସଫଳ ହୋଇଛି । ଏହି ଟୀକା ମୂଷା ଦେହରେ ସିଡ଼ି-୮ ଟି କୋଷିକା ପ୍ରତିକ୍ରିୟା ମଧ୍ୟ ଉତ୍ପନ୍ନ କରିପାରିଛି ।

ମଡ଼ର୍ଣ୍ଣାର ସିଇଓ ସେଫାନ ବାନସେଲଙ୍କ ସୂଚନା ଅନୁସାରେ ବିଶ୍ଵର ବିଭିନ୍ନ ଦେଶର ସରକାର ଏହି ଟୀକା ନିମନ୍ତେ ଯୋଗାଯୋଗ ଆରମ୍ଭ କରିଛନ୍ତି । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ସହ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଯୋଗାଯୋଗ​‌ରେ ଅଛନ୍ତି । ଆମେ ଖୁବ୍ ଶୀଘ୍ର ଏକ ଶୁଭ ଖବର ଦେବାକୁ ସକ୍ଷମ ହେବୁ ବୋଲି ଆଶା କରୁଛୁ । ଟୀକାର ମୂଲ୍ୟ ୩୨ରୁ ୩୭ ଡ଼ଲାର (ଭାରତୀୟ ମୁଦ୍ରାରେ ୨୪୦୦ରୁ ୨୮୦୦ ଟଙ୍କା) ମଧ୍ୟରେ ହେବ ବୋଲି ସେ କହିଛନ୍ତି ।

Comments are closed.