ମଦ ପାଇଁ ମୋବାଇଲ୍ ଆପ୍: ୨ ଘଣ୍ଟାରେ ୧.୮ ଲକ୍ଷ ପଞ୍ଜୀକରଣ

ଥିରୁଭନନ୍ତପୁରମ : ମଦ ଦୋକାନରେ ଭିଡ କମାଇବା ପାଇଁ କେରଳ ସରକାର ମୋବାଇଲ ଆପ୍‌ ’ବିଇଭିକ୍ୟୁ’ ଜରିଆରେ ବୁକିଙ୍ଗ କରିବାକୁ ବ୍ୟବସ୍ଥା କରିଛନ୍ତି। ଆଉ ଏହି ବ୍ୟବସ୍ଥା ଆରମ୍ଭ ହେବାର ପ୍ରଥମ ୨ ଘଣ୍ଟାରେ ୧.୮୨ ଲକ୍ଷ ଗ୍ରାହକ ଅନ୍ ଲାଇନରେ ମଦ ନିମନ୍ତେ ବୁକିଂ କରିଥିବା ଜଣାପଡ଼ିଛି ।

ମଦ ଦୋକାନରେ ଭିଡ଼ ଯୋଗୁଁ ସାମାଜିକ ଦୂରତ୍ବ ରକ୍ଷା ସମ୍ଭବ ହେଉନାହିଁ । ତେଣୁ ଅନଲାଇନ ମଦ କାରବାର ନିମନ୍ତେ କେରଳ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ କେରଳ ସରକାରଙ୍କ ପକ୍ଷରୁ ’ବିଇଭିକ୍ୟୁ’ ନାମକ ଏକ ଆପ୍‌ ପ୍ରସ୍ତୁତ କରାଯାଇଛି ଏବଂ ମଦ ଗ୍ରାହକଙ୍କୁ ଏଥିରେ ବୁକିଂ କରିବାକୁ କୁହାଯାଇଛି ।

ସୂଚନା ଅନୁସାରେ  ଗୁରୁବାର ରାଜ୍ୟରେ ମଦ କାରବାର ଆରମ୍ଭ ହେଉଥିବାରୁ ବୁଧବାର ରାତି ୧୦ଟାରୁ ବୁକିଙ୍ଗ ଆରମ୍ଭ ହୋଇଥିଲା। ପ୍ରଥମ ଦୁଇ ଘଣ୍ଟା ଅର୍ଥାତ୍‌ ୧୨ଟା ମଧ୍ୟରେ ୧,୮୨,୦୦୦ ଗ୍ରାହକ ବୁକିଙ୍ଗ କରିଥିଲେ।  ରାତି ୨ଟାରୁ ସକାଳ ସାଢ଼େ ୬ଟା ମଧ୍ୟରେ ୫୦,୦୦୦ ଗ୍ରାହକ ବୁକିଙ୍ଗ କରିଥିଲେ। ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ପୂର୍ବାହ୍ଣ ୯ଟା ପର୍ଯ୍ୟନ୍ତ ଏହି ବୁକିଙ୍ଗ ଅବଧି ବଢ଼ାଯାଇଥିବା କୁହାଯାଇଛି। ମୋବାଇଲ ଆପ୍‌ରେ ପ୍ରଥମେ ଗ୍ରାହକଙ୍କୁ ପଂଜିକରଣ କରିବାକୁ ପଡିବ। ପରେ ମଦ ପାଇଁ ବୁକିଙ୍ଗ କରିପାରିବେ। ବୁକିଙ୍ଗ କରୁଥିବା ଗ୍ରାହକଙ୍କୁ କେଉଁ ମଦ ଦୋକାନରୁ ଏବଂ କେଉଁ ସମୟରେ ମିଳିବ, ତାହା ଜଣାଇ ଦିଆଯିବ। ଏସଏମଏସ ଜରିଆରେ ମଧ୍ୟ ବୁକିଙ୍ଗ କରାଯାଇପାରିବ। ବୁକିଙ୍ଗ ପରେ ଗ୍ରାହକଙ୍କୁ ଟୋକନ ପ୍ରଦାନ କରାଯିବ। ଟୋକନ ଦେଖାଇ ମଦ କାଉଣ୍ଟରରୁ ଗ୍ରାହକ ମଦ ନେବେ । ବିନା ଆପ୍‌ ଏବଂ ଟୋକନରେ କାହାକୁ ମଦ ବିକ୍ରି କରାଯାଇ ପାରିବ ନାହିଁ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୁକିଙ୍ଗ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମଦ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ହୋଇଛି।

 

Comments are closed.