ମୋବାଇଲ୍‌ ଫୋନ୍‌ ଆଣିବ ବିପଦ

ଆବଶ୍ୟକତା ଅଭ୍ୟାସରେ ପରିଣତ ନ ହେଉ

ବିଶ୍ବରେ ବିଭିନ୍ନ କ୍ଷେତ୍ରରେ ଅନେକ ବିପ୍ଳବ ଆସିଛି। ପ୍ରତି ବିପ୍ଳବ ପରବର୍ତ୍ତୀ ସମୟରେ ଜଗତରେ ଆଶାତୀତ ପରିବର୍ତ୍ତନ ଦେଖାଦେଇଛି। ପ୍ରାଗୈତିହାସିକ ଯୁଗରୁ ବିଭିନ୍ନ ଆବିଷ୍କାର ଓ ଉଦ୍‌ଭାବନ ସହିତ ବିଜ୍ଞାନର ଜୟଯାତ୍ରା ପରେ ମାନବ ସଭ୍ୟତା ପ୍ରଯୁକ୍ତି ଓ ଔଦ୍ୟୋଗିକ କ୍ଷେତ୍ରରେ ପାଦଦେଇ ଆଶାତୀତ ସଫଳତା ଲାଭ କରିଛି। ବିଗତ ଶହେ ବର୍ଷରେ ଆମେ ସଫଳତାର ଏପରି ଏକ ସ୍ଥାନରେ ପହଞ୍ଚି ସାରିଛୁ ତାହାର କଳନା କରିହେବ ନାହିଁ। ଏସବୁ ସଫଳତା ମଧ୍ୟରୁ କେତେକ ଆମ ପାଇଁ ସଙ୍କଟ ଆଣି ଦେଇଛି। ଆମ ଜୀବନର ଅଙ୍ଗ ପାଲଟି ଯାଇଥିବା ଆମର ଅତିପ୍ରିୟ ମୋବାଇଲ୍‌ ଫୋନ୍‌ ଏପରି ଏକ ସଙ୍କଟର ସଂକେତ ମିଳିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ବ୍ୟବହାରକାରୀଙ୍କ ସଂଖ୍ୟାଠାରୁ ମୋବାଇଲ୍ ଫୋନ୍ ସଂଖ୍ୟା ଅଧିକ। ଜାତିସଂଘର ଆନ୍ତର୍ଜାତିକ ଟେଲି ଯୋଗାଯୋଗ ସଂଘ ଓ ବିଶ୍ବବ୍ୟାଙ୍କ୍ ମିଳିତ ଭାବେ ୨୦୧୮ମସିହାରେ ଏକ ବିବରଣୀ ପ୍ରସ୍ତୁତ କରିଥିଲେ। ଏହି ବିବରଣୀର ତଥ୍ୟ ଅନୁସାରେ ପ୍ରତି ୧୦୦ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଖରେ ହାରାହାରି ୧୦୭ଟି ମୋବାଇଲ୍ ଫୋନର ସଂଯୋଗ ଅଛି। ୨୦୧୮ ଶେଷ ବେଳକୁ ସାରା ଦୁନିଆର ୫୧ ଦଶମିକ ୨ ପ୍ରତିଶତ, ଅର୍ଥାତ୍ ପ୍ରାୟ ୪ଶହ କୋଟି ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ। ମାତ୍ର ଏହି ସମୟରେ ସାରା ଦୁନିଆରେ ସଂଯୋଗ ହୋଇଥିବା ମୋବାଇଲ୍ ବ୍ରଡବ୍ୟାଣ୍ଡ୍ ସଂଖ୍ୟା ୫୨୫କୋଟିରୁ ଅଧିକ ଥିଲା। ଭାରତ କଥା ବିଚାରକୁ ନେଲେ ବର୍ତ୍ତମାନ ସମୟରେ ଭାରତରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଶହେ କୋଟିରୁ ଊର୍ଦ୍ଧ୍ବ ହେବ। ଏମାନଙ୍କ ମଧ୍ୟରୁ ୫୦କୋଟିରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ଇଣ୍ଟରନେଟ୍ ସଂଯୋଗ ରହିଛି। ମୋବାଇଲ୍ ବିପ୍ଳବ ଗ୍ରାମାଞ୍ଚଳରେ ଖୁବ୍ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଭାରତରେ ମୋବାଇଲ୍ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୨୫କୋଟି ଲୋକ ଗ୍ରାମାଞ୍ଚଳର ବୋଲି ଜଣାପଡ଼ିଛି। ମୋବାଇଲ୍‌ ବ୍ୟବହାରକାରୀ ରାଜ୍ୟ ତାଲିକାରେ ଆମ ରାଜ୍ୟ ଓଡ଼ିଶା ଦେଶରେ ୨ୟ ସ୍ଥାନ(୨୦୧୯ ଅକ୍ଟୋବର ମାସରେ) ଅଧିକାର କରିଥିଲା।

ଆଜି ବିଶ୍ବବାସୀଙ୍କ ଜୀବନରେ ମୋବାଇଲ୍ ଫୋନ୍ ମୁଖ୍ୟ ଚାବିକାଠି(ମାଷ୍ଟର କି)ର ଭୂମିକାରେ ଅବତୀର୍ଣ୍ଣ ହୋଇଛି ଏବଂ ଲୋକଙ୍କ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ମାତ୍ରାରେ ତା’ର ନିୟନ୍ତ୍ରଣକୁ ନେଇଯାଇଛି। ଦୁନିଆର ସଂଖ୍ୟାଧିକ ଲୋକଙ୍କ ପାଇଁ ମୋବାଇଲ୍ ଫୋନ୍ ଏବେ ଏକ ନିଶାରେ ପରିଣତ ହୋଇଗଲାଣି।

ଆଜିର ପିଢ଼ି ନିଜର ଦୁଃଖ, ଖୁସି, ଲୁହ ଓ ହସ ଇଣ୍ଟରନେଟ୍ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବାକୁ ଚାହିଁଥାନ୍ତି। ଏଥିପାଇଁ ଇମୋଜୀ ମାଧ୍ୟମ ସାଜିଛି। ଗୋଟିଏ ମୋବାଇଲ୍ ଫୋନ୍, ଘଣ୍ଟା, କ୍ୟାମେରା, କ୍ୟାଲେଣ୍ଡର, କାଲ୍‌କୁଲେଟର, ଟର୍ଚ୍ଚ ଲାଇଟ, ରେଡିଓ, ଷ୍ଟପ୍‌ ୱାଚ୍‌, ଅଭିଧାନ, ଟେଲିଭିଜନ ସହ ଚିଠିପତ୍ର ଆଦିର କାର୍ଯ୍ୟଧାରାକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଲାଣି। ଶେଷରେ ଆମ ସମ୍ପର୍କ, ଭାବନା, ଅଭିବ୍ୟକ୍ତିକୁ ଆକ୍ରମଣ କରିବା ଆରମ୍ଭ କରିଦେଲାଣି ଏହି ମୋବାଇଲ୍ ଫୋନ୍। ଆମେ ଏପରି ଏକ ଯୁଗରେ ପହଞ୍ଚିବାକୁ ଯାଉଛେ, ଯେଉଁଠାରେ ଲୋକେ ଚେହେରାରୁ ସୃଷ୍ଟି ଅଭିବ୍ୟକ୍ତିର ଭାବନାକୁ ବୁଝିବା ବନ୍ଦ କରିଦେବେ। ସେତେବେଳେ ଏହା ଅଧିକ ଚିନ୍ତାଜନକ ବିଷୟ ପାଲଟିବ, ଯେତେବେଳେ ଜଣେ ବ୍ୟକ୍ତି କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବେ ଏବଂ ସେ ଏହି ଖବରକୁ ନିଜ ପିଲାଙ୍କୁ ଲେଖିକି ଜଣେଇବେ ଯେ ‘ମୋ ଦେହ ଖରାପ ଅଛି। ମୁଁ ଏବେ ଅମୁକ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।’ ପିଲାମାନେ ଏହି ସମୟରେ ଇମୋଜୀ ଦ୍ବାରା ଜଣେଇଦେବେ ଯେ ‘ସେମାନେ ଏଥିପାଇଁ ଦୁଃଖିତ ଅଟନ୍ତି, ପୁଣି ଚିନ୍ତିତ ମଧ୍ୟ।’

ପ୍ରଯୁକ୍ତି ବିଦ୍ୟାର କୌଶଳ ସେତେବେଳ ପର୍ଯ୍ୟନ୍ତ ଠିକ୍ ଯେତେବେଳ ଯାଏଁ ଏହା ଆମ୍ଭମାନଙ୍କର ଅତି ଆବଶ୍ୟକ, କିନ୍ତୁ ଏହି ଆବଶ୍ୟକତା ଯଦି କ୍ରମଶଃ ଅଭ୍ୟାସରେ ପରିଣତ ହୋଇଯାଏ, ସେତେବେଳେ ଆମେ ନିମୋଫୋନିଆ ପରି ରୋଗର ଶିକାର ହୋଇଥାଉ। ନିମୋଫୋନିଆ ଏପରି ଏକ ରୋଗ, ଯାହାଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କୁ ବିନା ଫୋନରେ କିଛି ସମୟ ବିତେଇବା କଷ୍ଟସାଧ୍ୟ ହୋଇଥାଏ। ଏହି ରୋଗ ବ୍ୟକ୍ତିର ସାମାଜିକ ବ୍ୟବହାର ଏବଂ ସଠିକ୍ ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଭାବିତ କରିଥାଏ। ସାରା ଦୁନିଆରେ ସାମାଜିକ ଗଣମାଧ୍ୟମର ପ୍ରେମରେ ଆଜି ଭାରତୀୟଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ। ଏକ ଗଣନା ଅନୁଯାୟୀ ୨୦୨୨ ସୁଦ୍ଧା ଭାରତର ମୋବାଇଲ୍ ଇଣ୍ଟରନେଟ୍ ଉପଭୋକ୍ତାଙ୍କ ସଂଖ୍ୟା ୫୫କୋଟିକୁ ଟପିଯିବ। ପରିତାପର ବିଷୟ ହେଉଛି, ଏହାଦ୍ବାରା ଲୋକଙ୍କ ମାନସିକ ଦୁଶ୍ଚିନ୍ତା ବଢ଼ି ଚାଲିବ – ଏକଥାକୁ ଆମେ ସମସ୍ତେ ଜାଣନ୍ତି, କିନ୍ତୁ ମାନନ୍ତି ନାହିଁ।
ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ମାନସିକ ସ୍ତରରେ ପରିବର୍ତ୍ତନ ଆସିବା ସହ ଶରୀର ଉପରେ ଏହାର କୁପ୍ରଭାବ ପଡୁଛି କି ନାହିଁ ଏହା ଉପରେ ସାରା ବିଶ୍ୱ ଗବେଷଣା ଚଳାଇଛି। ଗବେଷକଙ୍କ ମତରେ ମୋବାଇଲ୍ ଫୋନରୁ ନିର୍ଗତ ବିକିରଣ ଦ୍ବାରା ଲୋକଙ୍କଠାରେ ଶାରୀରିକ ଏବଂ ଜୈବିକ ପରିବର୍ତ୍ତନ ଦେଖାଦେଇଥାଏ।

ଏହି ସମସ୍ୟାରୁ ମୁକ୍ତ ହେବାକୁ ହେଲେ ଆମକୁ କିଛିଟା ସଂଯମ ଅବଲମ୍ବନ କରିବାକୁ ପଡ଼ିବ। ମୋବାଇଲ୍ ଫୋନରେ ବହୁ ସମୟ ଧରି କଥାବାର୍ତ୍ତା କରୁଥିଲେ ଇଅର୍ ଫୋନ୍ ବ୍ୟବହାର କରିବା, ଯଥାସମ୍ଭବ ବ୍ଲୁଟୁଥ୍ କମ୍ ବ୍ୟବହାର କରିବା, ଛୁଟିଦିନ ମାନଙ୍କରେ ସାମାଜିକ ଗଣମାଧ୍ୟମ ଏବଂ ମୋବାଇଲ୍ ଫୋନଠାରୁ ଯଥା ସମ୍ଭବ ଦୂରେଇ ରହିବା, ଖାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବାକୁ ନିଜେ ନିୟମ କରିବା, ଡିଜିଟାଲ୍ ଜୀବନ ଶୈଳୀରୁ ନିଜକୁ ଯଥାସାଧ୍ୟ ଦୂରେଇ ରଖିବା ଦିଗରେ ସଂକଳ୍ପବଦ୍ଧ ହେଲେ ନିଜ ଜୀବନ ଓ ବିଶ୍ବକୁ ସୁସ୍ଥ ଓ ସୁନ୍ଦର କରିପାରିବା।

Comments are closed.