ପୁଲିସ ଉପରକୁ ଢ଼େଲାମାଡ଼ ପରେ ଗାଡ଼ି ଜାଳିଦେଲେ ଦୁବୃର୍ତ୍ତ; କ୍ରିଷ୍ଣାନନ୍ଦପୁରରେ ସଶସ୍ତ୍ର ପୁଲିସ ମୁତୟନ

ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁରରେ ସୃଷ୍ଟି ହୋଇଛି ଉତ୍ତେଜନା । ଏକ ନିର୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ଫାଣ୍ଡି ଉପରେ ଢ଼େଲାମାଡ଼ କରିବା ସହ ଫାଣ୍ଡି ଅଧିକାରୀଙ୍କ ଏକ ଗାଡ଼ିକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛନ୍ତି ।

ଘଟଣାଟି ହେଉଛି ଏପରି । କୋବିଦ କାଳରେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକ୍ରମ ନ କରିବାକୁ ବାରଣ ରହିଛି । ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ଲୋକ ଆଖୁନ ମହଲାରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଫାଣ୍ଡି ଅଧିକାରୀ ଯୋତା ମାଡ଼ି ଧାର୍ମିକ ସ୍ଥଳରେ ପ୍ରବେଶ କରିଥିଲେ ବୋଲି ଲୋକମାନେ ଅଭିଯୋଗ କରି ଢ଼େଲା ପଥର ମାଡ଼ କରିଥିଲେ । ଫଳରେ ପୁଲିସ ସେଠାରୁ ଫେରି ଆସିଥିଲା । ଏହାପରେ ହଜାର ହଜାର ଲୋକ ଫାଣ୍ଡି ଉପରେ ଆକ୍ରମଣ କରିଥିଲେ । ଫାଣ୍ଡି ଉପରକୁ ଢ଼େଲାପଥର ମାଡ଼ କରିବା ସହ ଫାଣ୍ଡି ଅଧିକାରୀଙ୍କ ଗାଡ଼ିକୁ ପୋଡ଼ି ଦେଇଥିଲେ ।

ଏହାପରେ ସୁରକ୍ଷା ଦୃଷ୍ଟିରୁ ଫାଣ୍ଡି ଅଧିକାରୀଙ୍କୁ ରାତାରାତି ତିର୍ତ୍ତୋଲ ଥାନାକୁ ଅଣାଯାଇଥିଲା । ଘଟଣାସ୍ଥଳରେ ତିର୍ତୋଲ ଏସଡ଼ିପିଓ ଓ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡ଼ିପିଓ କହିଛନ୍ତି ।

Comments are closed.