ମୋ ସ୍କୁଲ: ଭଲ ପ୍ରଦର୍ଶନ କରୁଥିବା ଶିକ୍ଷକଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ବର: ‘ମୋ ସ୍କୁଲ୍‍ ଅଭିଯାନ’ର ୯ମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ‘ମୋ ସ୍କୁଲ୍‍’ ସହ ଲୋକଙ୍କର ବିଶ୍ୱାସ ଓ ଭରସା ଯୋଡ଼ି ହୋଇରହିଛି। ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ‘ମୋ ସ୍କୁଲ୍‍’ ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ କହିଛନ୍ତି।

ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ‘ମୋ ସ୍କୁଲ୍‍’ ମାଧ୍ୟମରେ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ଯୋଡ଼ାଯାଇ ପାରିବ ତାହା ଆମର ପ୍ରାଥମିକତା ରହିବ ବୋଲି ଆଭାସି ସମ୍ମିଳନୀରେ ଶ୍ରୀମତୀ ବାଗ୍‍ଚୀ ମତପୋଷଣ କରିଥିଲେ। ‘ମୋ ସ୍କୁଲ୍‍’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟସ୍ତରରେ ପରିଚାଳନାକୁ ପ୍ରାଥମିକତା ଦିଆଯାଉଥିବା ସେ କହିଥିଲେ।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯାଉଛି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ସହ ମିଳିତ ଭାବରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଠପଢ଼ା ସହ ପିଲାଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ‘ମୋ ସ୍କୁଲ୍‍’ ପଦକ୍ଷେପ ନେଇଛି। ପ୍ରକଳ୍ପ କାର୍ଯ୍ୟର ତଦାରଖ ସହ ଜନଜାତି ଅଞ୍ଚଳରେ ଥିବା ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ସେଠୀ ନିର୍ଦେଶ ଦେଇଥିଲେ।

ରୂପାନ୍ତରିତ ବିଦ୍ୟାଳୟରେ ଶିକ୍ଷକଙ୍କ ଦକ୍ଷତା ବିକାଶ, ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି, ଶିକ୍ଷା ଉପକରଣ ଆଦି ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ନିୟୋଜିତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ‘ମୋ ସ୍କୁଲ୍‍ ଅଭିଯାନ’ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲାର ୩ ଜଣ ଲେଖାଁଏ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମନୋନୟନ କରି ପୁରସ୍କୃତ କରିବାକୁ ସ୍ଥିର କରାଯାଇଛି। ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ସେମାନଙ୍କୁ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ଭାଗୀଦାର ହେବାକୁ ଉତ୍ସାହିତ କରାଯିବ।

ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କର ଠିକଣା ଏବଂ ସେମାନେ ବର୍ତ୍ତମାନ କ’ଣ କରୁଛନ୍ତି ତାହାର ଏକ ଡାଟାବେସ୍‍(ତଥ୍ୟ ତାଲିକା) ପ୍ରସ୍ତୁତ କରିବ। ସ୍କୁଲସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ବିଦ୍ୟାଳୟରେ କ୍ରୀଡ଼ା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ। ଏଥିସହ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଟକ୍‍ ସେସନ୍‍, ମେଣ୍ଟରିଂ ଓ କ୍ୟାରିୟର୍‍ କାଉନ୍‍ସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ବିଦ୍ୟାଳୟ ଏବଂ ନିକଟସ୍ଥ ଅଞ୍ଚଳରେ ଚାରାରୋପଣ, କିଚେନ୍‍ ଗାର୍ଡେନ୍‍ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସହଭାଗିତାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

କରୋନା ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ ଥିବାରୁ ପଲାଙ୍କ ପାଠପଢ଼଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତାହାର ଭରଣା ପାଇଁ ୟୁନିସେଫ୍‍ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଆସନ୍ତା ୨ ବର୍ଷ ପାଇଁ ‘ମୋ ସ୍କୁଲ୍‍’ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଏବଂ ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଛି।

ବୈଠକରେ ‘ମୋ ସ୍କୁଲ୍‍’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ‘ମୋ ସ୍କୁଲ୍‍’ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଥିଲେ। ବୈଠକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦେଶିକା ପୁନମ ଗୁହା ତାପସ କୁମାର, ମୋ’ ସ୍କୁଲ୍‍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାରଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.