ମୋ ସରକାର କାର୍ଯ୍ୟକ୍ରମରେ ୬ ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା

ଭୁବନେଶ୍ଵର: ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଏବଂ ସୋନପୁର ଆଦି ୬ଟି ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା ଏବଂ ସୋନପୁର ଜିଲାର ମୁଖ୍ୟ ଚିକିତ୍ସାଳୟ ଏବଂ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ। ଏହି ୬ ଜିଲାର ଏସପିଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲାଗି ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଜିଲାର ହସ୍ପିଟାଲଗୁଡ଼ିକରେ ରୋଗୀମାନଙ୍କ ଆଟେଣ୍ଡାଣ୍ଟଙ୍କ ଲାଗି ଆଶ୍ରୟସ୍ଥଳ ନିର୍ମାଣ କରାଯିବ।

ଏହାବ୍ୟତୀତ ସମ୍ବଲପୁର ଜିଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବହିର୍ବିଭାଗ ଚିକିତ୍ସା କୋଠା ନିର୍ମାଣ ହେବ। ଜିଲା ସଦର ମହକୁମା ହସ୍ପିଟାଲରେ ମା’ ଗୃହ ପାଇଁ ନୂତନ କୋଠା ତିଆରି ହେବ। ରୋଗ ପରୀକ୍ଷା ପାଇଁ ସମନ୍ବିତ ଲାବରେଟୋରିର ଉନ୍ନତିକରଣ କରାଯିବା ସହିତ ଡାୟାଲିସିସ୍‌ ୟୁନିଟ୍‌ ଏବଂ ଆଇସିୟୁ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଜିଲା ହସ୍ପିଟାଲକୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭୀମସାରର ଏକ ସାଟେଲାଇଟ୍‌ ସେଣ୍ଟର ଭାବେ ବିକଶିତ କରାଯିବ।

ସେହିପରି ଦେବଗଡ଼ ଜିଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ। ଅନୁଗୋଳ ଜିଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟାମ୍ପସ ମଧ୍ୟରେ ଏକ ନୂଆ କୋଠା ମଧ୍ୟ ନିର୍ମାଣ କରାଯିବ। ଡାୟାଲିସିସ୍‌ ୟୁନିଟର ସମ୍ପ୍ରସାରଣ କରାଯିବ। ଆଇସିୟୁ ୟୁନିଟର ସୃଦୃଢୀକରଣ ସହିତ ଆନେସ୍ଥେ‌ସିଆ ଓ୍ବାର୍କ ଷ୍ଟେସନ ଓ ଅତିରିକ୍ତ ଇସିଜି ମେସିନ ଯୋଗାଇ ଦିଆଯିବ।

କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବା ସହିତ ନୂଆ କ୍ୟାମ୍ପସରେ ଷ୍ଟାଫ କ୍ବାର୍ଟର୍ସ, ଆଧୁନିକ ଓପିଡ଼ି ଓ ଆଇସିୟୁ ସ୍ଥାପନ କରାଯିବ। ଡାୟାଲିସିସ ୟୁନିଟର ସଂପ୍ରସାରଣ ସହିତ ଦୁଇଟି ଅତିରିକ୍ତ ଆମ୍ଭୁଲାନ୍ସ ଓ ଗୋଟିଏ ଅତିରିକ୍ତ ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ।

ସୋନପୁର ଜିଲା ସଦର ମହକୁମା ହସ୍ପିପଟାଲରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା କୋଠାର ନିର୍ମାଣ କାର୍ଯ୍ଯ ଏକ ମାସ ମଧ୍ୟରେ ଆରମ୍ଭ କରାଯିବ।  ଏହା ସହିତ ବର୍ତ୍ତମାନ କାର୍ଯ୍ୟ କରୁଥିବା ଜିଲା ହସ୍ପାଟାଲରେ ସେବାର ମାନ ବୃଦ୍ଧି ପାଇଁ ଅତିରିକ୍ତ ଭାବେ ଅଲଟ୍ରା ସାଉଣ୍ଡ ମେସିନ, ସେମି ଅଟୋ ଆନାଲାଇଜର, ମଲଟି ପାରା ମନିଟର ଓ ସିବିସି ମେସିନ ଯୋଗାଇ ଦିଆଯିବ।

ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ କୋଠର ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ ହେବ।

ସୂଚନାଯୋଗ୍ୟ, ୫-ଟି ସଚିବମାନେ ଉପରୋକ୍ତ ଜିଲାଗୁଡ଼ିକ ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଥିଲେ ତାହାର ଅନୁଧ୍ୟାନ କରି ସରକାର ଏହି ପଦକ୍ଷେପ ନେଇଛନ୍ତି।

Comments are closed.