ମୋ ପ୍ରତିଭା ଅନଲାଇନ କାର୍ଯ୍ୟକ୍ରମ : ଦ୍ବିତୀୟ ସପ୍ତାହରେ ୮ ହଜାର ପ୍ରତିଯୋଗୀ

ଭୁବନେଶ୍ବର : କରୋନା କାଳରେ କୋମଳମତି ଶିଶୁଙ୍କ ପ୍ରତିଭା ବିକାଶ ପାଇଁ କରାଯାଉଥିବା ଅନଲାଇନ ମୋ ପ୍ରତିଭା କାର୍ଯ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧିପାଉଛି। ପ୍ରଥମ ସପ୍ତାହରେ ୫୫୦୦ ପ୍ରବେଶିକା ଆସିଥିବା ବେଳେ ଦ୍ବିତୀୟ ସପ୍ତାହରେ ୮ ହଜାରରୁ ଉର୍ଦ୍ଧ୍ବ ଆସିଛି। ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡା ଓ ଯୁବସେବା ବିଭାଗ ଓ ୟୁନିସେଫ ମିଳିତ ସହଯୋଗରେ ୫ରୁ ୧୮ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ପ୍ରତିଯୋଗିତ କରାଯାଉଛି। ତିନୋଟି ବର୍ଗରେ କରାଯାଉଥିବା ଏହି ପ୍ରତିଯୋଗିତାରେ ଘରେ ରହିବାର ଅନୁଭବ ଓ କୋଭିଡ-୧୯ ସମୟରେ ନିଜର କର୍ତବ୍ୟ ସମ୍ପର୍କରେ ପଠାଇବାକୁ କୁହାଯାଇଥିବା ବେଳେ ପିଲାମାନେ ଚମତ୍କାର ଚିତ୍ରକଳା, ସ୍ଲୋଗାନ, କ୍ଷୁଦ୍ରଗଳ୍ପ, ପୋଷ୍ଟର ଆଦି କରି ପଠାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରର ପିଲାମାନେ ଏଥିରେ ଭାଗ ନେଉଛନ୍ତି। ଲକ୍‌ଡାଉନ ସମୟରେ ପିଲାମାନେ ଘରେ ରହୁଥିବାରୁ ସେମାନଙ୍କୁ କ୍ରିୟାଶୀଳ କରିବାକୁ ଏଭଳି ଯୋଜନା କରାଯାଇଥିବା ଜଣାପଡିଛି।

Comments are closed.