ଚଳିତ ଆର୍ଥିକ ବର୍ଷରେ ମନରେଗାରେ ଖର୍ଚ୍ଚ ହେଲାଣି ୩୧ ହଜାର ୪୯୩ କୋଟି

ସମାଜ ପୋର୍ଟାଲ ଡେସ୍କ: ୨୦୨୦-୨୧ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧,୦୧,୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏ ଯାବତ ୩୧ ହଜାର ୪୯୩ କୋଟି ଟଙ୍କା ବିନିଯୋଗ ହୋଇଥିବା ଜଣାପଡିଛି। ଏହି ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୬ କୋଟି ୬୯ ଲକ୍ଷ ଲୋକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଛି। ୨୦୨୦ ମେ’ ସୁଦ୍ଧା ପ୍ରତିଦିନ ଯୋଗାଇ ଦିଆଯାଉଥିବା କାର୍ଯ୍ୟର ହାରାହାରି ସଂଖ୍ୟା ହେଉଛି ୨ କୋଟି ୫୧ ଲକ୍ଷ ଯାହା ଗତ ବର୍ଷ ମେ’ ମାସରେ ଦିଆଯାଇଥିବା କାର୍ଯ୍ୟ ତୁଳନାରେ ୭୩% ଅଧିକ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୦୨୧ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦ ଲକ୍ଷ କାର୍ଯ୍ୟ ସମାପ୍ତ ହୋଇଛି ଯେଉଁଥିରେ ଜଳ ସଂରକ୍ଷଣ ଏବଂ ଜଳସେଚନ, ବୃକ୍ଷରୋପଣ, ଉଦ୍ୟାନ କୃଷି ଏବଂ ଜୀବିକା ପ୍ରୋତ୍ସାହନ ଅନ୍ତର୍ଭୁକ୍ତ।ତେବେ ଚଳିତ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ଏହା ସର୍ବାଧିକ ବ୍ୟୟ ବରାଦ ଅଟେ।

ବର୍ତ୍ତମାନ ସୁଦ୍ଧା ମୋଟ ୬୦.୮୦ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ବେଳେ ୬କୋଟି ୬୯ ଲକ୍ଷ ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୧ କୋଟି ୪୫ ଲକ୍ଷ ଲୋକଙ୍କୁ କାମ ଯୋଗାଇ ଦିଆଯାଇଥିଲା।

Comments are closed.