ଆସନ୍ତା ମାର୍ଚ୍ଚରୁ ବନ୍ଦ ହୋଇପାରେ ମୋବାଇଲ୍‍ ନମ୍ବର ପୋର୍ଟେବିଲିଟି ସୁବିଧା

0

ନୂଆଦିଲ୍ଲୀ: ମୋବାଇଲ୍‍ ନମ୍ବର ପୋର୍ଟେବିଲିଟି ବା ଏମ୍‍ଏନ୍‍ପି ସୁବିଧା ଆସନ୍ତା ମାର୍ଚ୍ଚରୁ ବନ୍ଦ ହେବାକୁ ଯାଉଛି। ଯଦି କୌଣସି ମୋବାଇଲ୍‍ ଅପରେଟରଙ୍କ ସେବା ସନ୍ତୋଷଜନକ ନ ହୁଏ ତେବେ ଏମ୍‍ଏନ୍‍ପି ପ୍ରକ୍ରିୟାରେ ଉପଭୋକ୍ତାମାନେ ସିମ୍‍ ନମ୍ବର ଅପରିବର୍ତ୍ତିତ ରଖି ମୋବାଇଲ୍‍ ସେବା ପ୍ରଦାନକାରୀ କମ୍ପାନୀ ବା ଅପରେଟର ବଦଳାଇପାରୁଥିଲେ। କିନ୍ତୁ ଆସନ୍ତା ମାର୍ଚ୍ଚ ୩୧ ପରେ ଉପଭୋକ୍ତାମାନେ ଆଉ ନମ୍ବର ସେହି ସୁବିଧା ପାଇପାରିବେ ନାହିଁ।
ଭାରତରେ ଏହି ସୁବିଧା ବା ବୈଷୟିକ ସେବା ପ୍ରଦାନ କରି ଆସୁଥିବା ଦୁଇ ସଂସ୍ଥା ଇଣ୍ଟରକନେକସନ୍‍ ଟେଲିକମ୍‍ ସଲ୍ୟୁସନ୍‍ ଓ ସିନିଭର୍ସ ଟେକ୍‍ନୋଲଜିସ୍‍ ଭାରତୀୟ ଟେଲି କମ୍ୟୁନିକେସନ୍‍ ବିଭାଗକୁ ଚିଠି ଲେଖି ସେବା ପ୍ରଦାନ ପାଇଁ ଅକ୍ଷମତା ପ୍ରକାଶ କରିଛନ୍ତି। ଇତିମଧ୍ୟରେ ପୋର୍ଟିଂ ଫି’ରେ କେନ୍ଦ୍ର ସରକାର ୮୦% ହ୍ରାସ କରିଥିବାରୁ ଏହି ଦୁଇ ସଂସ୍ଥା ପ୍ରଭୂତ କ୍ଷତି ସହୁଛନ୍ତି। ପୂର୍ବରୁ ଗୋଟିଏ ପୋର୍ଟେବିଲିଟି ପାଇଁ ୧୯ ଟଙ୍କା ମିଳୁଥିବା ବେଳେ ଏବେ ତାହା ୪ ଟଙ୍କାକୁ ହ୍ରାସ ପାଇଛି। ଏଭଳି ପରିସ୍ଥିିତିରେ ଆଉ ପୋର୍ଟେବିଲିଟି ସେବା ସମ୍ଭବ ନୁହେଁ ବୋଲି ଉପରୋକ୍ତ ଦୁଇ ସଂସ୍ଥା କହିଛନ୍ତି।
ଟେଲିକମ୍‍ ବିଭାଗ ସହିତ ଏହି ଦୁଇ ସଂସ୍ଥାର ଚୁକ୍ତି ଅବଧି ୨୦୧୯ ମାର୍ଚ୍ଚ ୩୧ରେ ସରୁଛି। ଏହି ସମୟ ଭିତରେ ଟେଲିକମ୍‍ ବିଭାଗ ଯଦି ଅନ୍ୟ କୌଣସି ସଂସ୍ଥା ସହିତ ଚୁକ୍ତି ନ କରେ ତେବେ ଆସନ୍ତା ମାର୍ଚ୍ଚ ୩୧ ପରେ ଆଉ ପୋର୍ଟେବିଲିଟି ସେବା ମିଳିବ ନାହିଁ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତେବେଳେ ଦୀର୍ଘବର୍ଷ ଧରି ସେବା ପ୍ରଦାନ କରି ଆସୁଥିବା ଦୁଇ ସଂସ୍ଥା ବ୍ୟବସାୟିକ କ୍ଷତି ହେଉଥିବା ଦର୍ଶାଇ ଚୁକ୍ତି ନବୀକରଣ କରିବାକୁ ଚାହୁଁ ନାହାନ୍ତି ସେହି କ୍ଷେତ୍ରରେ ଅନ୍ୟ କୌଣସି ସଂସ୍ଥା ଏଥିପ୍ରତି ଆଗ୍ରହ ପ୍ରକାଶ କରିବା କିମ୍ବା ସରକାର ନୂଆ ସଂସ୍ଥା ଖୋଜି ପାଇବା ଏତେ ଶୀଘ୍ର ସମ୍ଭବ ନୁହେଁ। ଅବଶ୍ୟ ଖୁବ୍‍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଟେଲିକମ୍‍ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଦେୟ ହ୍ରାସ ସମ୍ପର୍କରେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ପ୍ରତି ପୋର୍ଟେବିଲିଟି ଅନୁରୋଧ ପାଇଁ ସଂସ୍ଥାଙ୍କୁ ଦେୟ ପ୍ରଦାନ କରାଯାଉଥିଲା। କିନ୍ତୁ ନିୟମରେ କିଛିଟା ସଂଶୋଧନ ଅଣାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ କେବଳ ପୋର୍ଟିଂ ସଫଳ ହେଲେ ଦେୟ ମିଳିବ। ଏହି ଅନୁଯାୟୀ ହାରାହାରି ଦେୟ ହ୍ରାସ ପାଇଛି।
ଟେଲିକମ୍‍ ସେବା ବଜାରରୁ ରିଲାଏନ୍ସ କମ୍ୟୁନିକେସନ୍‍, ଟାଟା ଟେଲିସର୍ଭିସ୍‍, ଏୟାର ସେଲ୍‍, ଟେଲିନର ପରି କମ୍ପାନୀ ବିଦାୟ ନେଇଛନ୍ତି। ଏହି ସମୟରେ ରିଲାଏନ୍ସ ଜିଓ, ଆଇଡିଆ, ଭୋଡାଫୋନ୍‍, ଏୟାର ଟେଲ୍‍ ନୂଆ ଓ ଆକର୍ଷଣୀୟ ତାରିଫ୍‍ ଘୋଷଣା କରି ଉପଭୋକ୍ତାଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେଣୁ ଏମ୍‍ଏନ୍‍ପି ଆବେଦନ ଏବେ ପୂର୍ବତୁଳନାରେ ପ୍ରାୟ ୩ ଗୁଣା ବୃଦ୍ଧି ପାଇଛି। ତା ସହିତ ଉପରୋକ୍ତ ଦୁଇ ସଂସ୍ଥାଙ୍କ କ୍ଷତି ପରିମାଣ ବଢ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Leave A Reply