ଅଧାପନ୍ତରିଆ ମନରେଗା ରାସ୍ତା କାମ, ଲୋକେ ହିନସ୍ଥା

ପାଟଣା: ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତରେ କରଞ୍ଜିଆପଡ଼ାଠାରୁ ଭାଲିଆଡାଳ ଆର.ଡି ରୋଡ ପର୍ଯ୍ୟନ୍ତ ୧ କିଲୋମିଟର କଚ୍ଚା ରାସ୍ତାରେ ଜନସାଧାରଣ ଯାତାୟାତ କ୍ଷେତ୍ରରେ ଦୁର୍ଦ୍ଦଶାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏହି ବିଷୟରେ ବାରମ୍ବାର ବିଡିଓ ଏଵଂ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ।

ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଦୀର୍ଘ ପାଞ୍ଚମାସ ବିତିଯାଇଥିଲେ ମଧ୍ୟ ଏହି ରାସ୍ତା କାମକୁ ଅଣଦେଖା କରାଯାଉଛି। ଏହି ରାସ୍ତା ଉପରେ ପ୍ରାୟ ୧୦ରୁ ୧୨ ଖଣ୍ଡ ଗ୍ରାମର ଲୋକମାନେ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ବେଳେ ରାସ୍ତା କଡ଼ରେ ଚାରୋଟି ସ୍କୂଲ ମଧ୍ୟ ରହିଛି। ଏହି ରାସ୍ତାର ମରାମତି ପାଇଁ ମନରେଗା ଯୋଜନାର ସୂଚନା ଫଳକ ଅଛି କିନ୍ତୁ କାର୍ଯ୍ୟର ଆରମ୍ଭ ତାରିଖ ଏଵଂ ଶେଷ ତାରିଖ ନାହିଁ। ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ପାଖାପାଖି ୧ କିଲୋମିଟର ରାସ୍ତା ମରାମତି ପାଇଁ ଅଟକଳ ମୂଲ୍ୟ ଦଶ ଲକ୍ଷ ଟଙ୍କା ଥିବା ବେଳେ ମାତ୍ର ୩୦୦ ମିଟର ପାଖାପାଖି ରାସ୍ତା ମାଟି ପକାଯାଇ କାହିଁକି ଏତେ ଦିନ ହେଲା ରାସ୍ତା କାମକୁ ବନ୍ଦ କରିଦିଆଯାଇଛି ଓ ଏଥିପାଇଁ ଦାୟୀ କିଏ ତାହାର ତଦନ୍ତ କରାଯାଇ ତୁରନ୍ତ ରାସ୍ତା କାମକୁ ସମ୍ପୂର୍ଣ୍ଣ କରାଯିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

ସୂଚନା ଯୋଗ୍ୟ ଯେ ମାଟି ପଡ଼ିଥିବା ରାସ୍ତାରେ ବର୍ଷା ଦିନେ ଟ୍ରାକ୍ଟର ଯାତାୟାତ କରି ଏତେ ଖରାପ କରିଦେଇଛି ଯେ ଲୋକମାନେ ଏହି ରାସ୍ତାରେ ସାଇକେଲ, ବାଇକ୍ କିମ୍ବା ପାଦରେ ମଧ୍ୟ ଯିବା ଆସିବା କରିବାକୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

Comments are closed.