ରାଜସ୍ଥାନରେ ନିର୍ବାଚିତ ୧୯୯ ବିଧାୟକଙ୍କ ମଧ୍ୟରେ ୧୫୮ କୋଟିପତି
ଜୟପୁର . – ରାଜସ୍ଥାନ ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୯୯ ବିଧାୟକଙ୍କ ମଧ୍ୟରେ ୧୫୮ ଜଣ କୋଟିପତି ଅଛନ୍ତି ବୋଲି ଏକ ତଥ୍ୟ ପ୍ରକାଶ ପାଇଛି । ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ଥର ୯ ଜଣ ଅଧିକ ବିଧାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ୨୦୧୩ ମସିହାରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ୧୪୫ ଜଣ କୋଟି ପତି ଥିଲେ ।
କଂଗ୍ରେସର ନିର୍ବାଚିତ ୯୯ ବିଧାୟକଙ୍କ ମଧ୍ୟରୁ ୮୨ ଜଣ କୋଟି ପତି ଅଛନ୍ତି । ସେହିପରି ବିଜେପିର ୭୩ ବିଧାୟକଙ୍କ ମଧ୍ୟରୁ ୫୮ ଓ ବିଏସ୍ପିର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ କୋଟିପତି ଅଛନ୍ତି ବୋଲି ଏଡିଆର୍ ଏହାର ରିପୋର୍ଟରେ ଦର୍ଶାଇଛି ।
ନିଜର ସମ୍ପତି ତାଲିକା ଘୋଷଣା କରିଥିବା ବିଧାୟକଙ୍କ ମଧ୍ୟରେ କଂଗ୍ରେସର ପରଶ ରାମ ମୋରଡିଆଙ୍କ ନିକଟରେ ୧୭୨ କୋଟି ଟଙ୍କାର ସମ୍ପତ୍ତି, ଉଦୟ ଲାଲ ଅଞ୍ଜନଙ୍କ ନିକଟରେ ୧୦୭ କୋଟି ଓ ସ୍ୱାଧୀନ ପ୍ରାର୍ଥୀ ରାମକୋଶ ମୀନାଙ୍କ ପାଖରେ ୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବା ସୂଚନା ମିଳିଛି । କୋଟିଏ ଟଙ୍କାରୁ କମ୍ ସମ୍ପତ୍ତି ଥିବା ବିଧାୟକଙ୍କ ମଧ୍ୟରେ ସର୍ବ କନିଷ୍ଠ ବିଧାୟକ ରାଜକୁମାର ରୋଆତ୍, ମୁକେଶ କୁମାର ଭାକର, ରାମନିଓ୍ୱାସ ଗାଓରିୟାଙ୍କ ନାମ ରହିଛି । ଏହି ରିପୋର୍ଟରେ ୫୯ ଜଣ ବିଧାୟକ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଦର୍ଶାଯାଇଛି । ୧୨୯ ଜଣ ସ୍ନାତକ ଓ ଊର୍ଦ୍ଧ୍ୱ ଓ ୭ ଜଣ କେବଳ ସାକ୍ଷର ବୋଲି ସୂଚନା ଦିଆଯାଇଛି ।