ମନ୍ଦିର, ସ୍କୁଲ ପାଇଁ ଖର୍ଚ୍ଚ ହେବ ବିଧାୟକ ପାଣ୍ଠି

ସମାଜ ପୋର୍ଟାଲ ଡେସ୍କ: ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବ୍ୟବସ୍ଥାର ପରିବର୍ତ୍ତନ ହୋଇଛି। ଏହି ପାଣ୍ଠିରେ ମନ୍ଦିର, ବିଦ୍ୟାଳୟ ଓ ପୁରାତନ ଐତିହ୍ୟ ଆଦିର ପୁନରୁଦ୍ଧାର, ରକ୍ଷଣାବେକ୍ଷଣ ଆଦି କାର୍ୟ୍ୟ କରାଯାଇପାରିବ। କୌଣସି ପ୍ଲାନିଂ ଅଧିକାରୀ ଏଥିପାଇଁ ମନାକଲେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।

ପୂର୍ବତନ ବିଧାୟକଙ୍କ ସମୟରେ ଏମଏଲଏ ଲାଡ଼ ବାବଦରେ କାର୍ୟ୍ୟାଦେଶ ମଞ୍ଜୁରି ସତ୍ତ୍ବେ ଏହା କାର୍ୟ୍ୟକାରୀ ହୋଇ ନଥିବାରୁ ଏହାକୁ ପରିବର୍ତ୍ତନ କରାଯାଇପାରିବ କି ନା ସେଥିନେଇ ଆଜି ଗୃହରେ ମନ୍ତ୍ରୀ କୌଣସି ସ୍ପଷ୍ଟ ଉତ୍ତର ନରଖିବାରୁ ଏହାକୁ ନେଇ କିଛି ସମୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କେଉଁ ନୀତି ନିୟମରେ ପଞ୍ଚାୟତ ଓ ପୌର ସଂସ୍ଥାରେ ସାଂସଦ ଓ ବିଧାୟକ ପାଣ୍ଠି ଖର୍ଚ୍ଚ ହୁଏ ଏବଂ ପୂର୍ବତନ ବିଧାୟକଙ୍କ ସମୟରେ କାର୍ୟ୍ୟାଦେଶ ଦିଆଯିବାର ୮ମାସ ପରେ ବି ପ୍ରକଳ୍ପ କାର୍ୟ୍ୟକାରୀ ହୋଇପାରି ନଥିବାରୁ ଏହା କିଭଳି କାର୍ୟ୍ୟକାରୀ ହେବ ସେ ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ‌ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ ଅନୁମୋଦନ ଏବଂ କାର୍ୟ୍ୟାଦେଶ ମିଳିବା ପରେ ଏ ପାଣ୍ଠି ୬ ମାସ ଭିତରେ ଖର୍ଚ୍ଚ ହେବା କଥା। ଯେଉଁଠି ହୋଇ ନାହିଁ ନିର୍ଦିଷ୍ଟ ଭାବେ ଜଣାଇଲେ ଏହାକୁ ପରିବର୍ତ୍ତନ କରି ନୂଆ କାମ କରାଯିବ।

ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ ନହେବାରୁ ବାଚସ୍ପତି ଏଥିରେ ହସ୍ତ‌େ‌କ୍ଷପ କରିଥିଲେ। ଯେଉଁସବୁ ନିର୍ବାଚନମଣ୍ଡଳୀରେ ପୂର୍ବତନ ବିଧାୟକଙ୍କ ଦ୍ବାରା କାର୍ୟ୍ୟାଦେଶ ଦିଆଯାଇଥିଲେ ବି କାମ ହୋଇ ନପାରି ପଡ଼ି ରହିଛି ସେଠାରେ ଏହାକୁ ପରିବର୍ତ୍ତନ କରାଯାଇପାରିବ କି ନା ତାହା ସ୍ପଷ୍ଟ କରିବାକୁ ବାଚସ୍ପତି ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ଏ ବାବଦରେ ଆମେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବୁ। ଖର୍ଚ୍ଚ ହୋଇ ନଥିଲେ ପରିବର୍ତ୍ତନ କରାଯିବ। ବିଧାୟକ ନରସିଂହ ମିଶ୍ର ସାଂସଦ ଓ ବିଧାୟକ ପାଣ୍ଠିରେ ମନ୍ଦିର ନିର୍ମାଣ, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରାଯାଇପାରିବ କି ନା ସେ ନେଇ କି ନିୟମାବଳି ରହିଛି ସେଥିନେଇ ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ ସାଂସଦ ପାଣ୍ଠିରେ ମନ୍ଦିର ପୁନରୁଦ୍ଧାର, ନିର୍ମାଣ ଆଦି କାର୍ୟ୍ୟ କରାଯାଇପାରିବ ନାହିଁ; କିନ୍ତୁ ବିଧାୟକ ପାଣ୍ଠିରେ କରାଯାଇପାରିବ। ତେବେ ବିଧାୟକ ପାଣ୍ଠି ସରପଞ୍ଚ ସମିତି ସଭ୍ୟଙ୍କ ନାମରେ କାର୍ୟ୍ୟାଦେଶ ଦିଆଯାଇପାରିବ ନାହିଁ। ଯେଉଁଠି ଦିଆଯାଇଛି ଲିଖିତ ଆକାରରେ ଅଭିଯୋଗ ଆସିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଧାୟକ ପାଣ୍ଠିରେ ମନ୍ଦିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କାର୍ୟ୍ୟ କରିବାକୁ ପ୍ଲାନିଂ ଅଧିକାରୀ ମନା କରୁଥିବା ନେଇ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଭାଗୀରଥି ସେଠୀଙ୍କ ଅଭିଯୋଗର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ପ୍ରଚଳିତ ନିୟମାବଳୀରେ ବିଧାୟକ ପାଣ୍ଠିରେ ମରାମତି, ପୁନରୁଦ୍ଧାର ପାଇଁ ଅନୁମତି ରହିଥିବାରୁ ଯଦି କୌଣସି ଅଧିକାରୀ ଏଥିପାଇଁ ମନା କରିଥାନ୍ତି ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଚଳିତ ବଜେଟରେ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠି ନଥିବାବେଳେ ସ୍ବତନ୍ତ୍ର ସମସ୍ୟା ପାଣ୍ଠି ବ୍ୟବସ୍ଥା ରହିଛି ବୋଲି ବିଧାୟକ ପ୍ରଦୀପ ଅମାତଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ। ବିଧାୟକ ସୌଭିକ ବିଶ୍ବାଳ ବିଧାୟକ ପାଣ୍ଠି ମଞ୍ଜୁରି ବ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ଷଡ଼ଙ୍ଗୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ସାଂସଦ ଉନ୍ନୟନ ପାଣ୍ଠି (ଏମପି ଲାଡ଼) ଓ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମଏଲଏ ଲାଡ଼) ମାର୍ଗଦର୍ଶିକା ଅନୁଯାୟୀ ଅନୁମୋଦିତ ମଞ୍ଜୁରି ପ୍ରକଳ୍ପକୁଡ଼ିକ ପଞ୍ଚାୟତସ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ପୌରାଞ୍ଚଳରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରଚଳିତ ନିୟମ ଅନୁଯାୟୀ କାର୍ୟ୍ୟକାରୀ କରାଯାଏ। ଏ ପର୍ୟ୍ୟନ୍ତ ପୂର୍ବତନ ସାଂସଦଙ୍କ ଏମପି ଲାଡ଼ର ଅନୁମୋଦିତ ଅର୍ଥରୁ ୯୨.୭୩ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ୧୩୮୪୧୧ ଟି କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି।

ପୂର୍ବତନ ବିଧାୟକଙ୍କ ଏମଏଲଏ ଲାଡ଼ ଅନୁମୋଦିତ ଅର୍ଥରୁ ୮୪.୦୪ ପ୍ରତିଶତ ଖର୍ଚ୍ଚ ହୋଇଛି ଓ ୨୭୭୯୪୫ଟି କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି। ଏମପି ଲାଡ଼ ଓ ଏମଏଲଏ ଲାଡ଼ ପାଣ୍ଠିରେ ଯଥାକ୍ରମେ ୧୧୪୨ ଓ ୫୩୪୦ଟି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ।

Comments are closed.