ନିଃସହାୟ କରୋନା ମୃତକଙ୍କ ସତ୍କାର ଲାଗି ଆଗେଇ ଆସିଲେ ବିଧାୟକ

ପ୍ରଶାସନକୁ ଉତ୍ସାହିତ କଲେ ଜନପ୍ରତିନିଧି

ବଡ଼ମ୍ବା : ଘରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କ ମୃତ ଶରୀର ଅସହାୟ ଅବସ୍ଥାରେ ପଡ଼ିରହିଥିଲା। କିଛିଦିନ ତଳେ ଏହି ବୃଦ୍ଧଙ୍କ ଇଞ୍ଜିନିୟର ପୁତ୍ର ମଧ୍ୟ ଏହି ମହାମାରୀରେ ଆଖି ବୁଜିଥିଲେ। ଘରର ଅନ୍ୟ କେତେଜଣ ସଦସ୍ୟ ମଧ୍ୟ ଏବେ ଆକ୍ରାନ୍ତ ଥାଇ ଚିକିତ୍ସାଧିନ ଅଛନ୍ତି। ହେଲେ ଏଭଳି ଅସମୟରେ ମୃତ ବୃଦ୍ଧଙ୍କ ଶବସତ୍କାର ଲାଗି କାନ୍ଧ ଦେବାକୁ କେହି ସାହାସ ଜୁଟାଉନଥିବା ବେଳେ ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କିନ୍ତୁ ଖବରପାଇ ସଂପୃକ୍ତ ଅସହାୟ ବୃଦ୍ଧଙ୍କ ସତ୍କାର ଲାଗି ଆଗେଇ ଆସିଥିଲେ। ଏଭଳି ଏକ ମାନବୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପପୁର ନୂଆସାହିରେ। ଘଟଣାରୁ ପ୍ରକାଶ ଯେ ଗୋପପୁର ନୂଆସାହିର ୭୫ବର୍ଷ ବୟସ୍କ ବୃଦ୍ଧ ଭାଗବତ ସାହୁଙ୍କର ମଙ୍ଗଳବାର ସକାଳ ବେଳା କରୋନାରେ ମୃତ୍ୟୁ ଘଟିଥିବା ଏବଂ ତାଙ୍କ ଶବ କେହି ଛୁଇଁବାକୁ ସାହାସ ଜୁଟାଉନଥିବା ନେଇ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରକୁମାର ସାହୁଙ୍କ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ।
ଏଭଳି ଖବର ପାଇବାରେ ମାନବିକତା ତଥା ସାମାଜିକ କର୍ତ୍ତବ୍ୟବୋଧକୁ ଅଗ୍ରାଧିକାର ଦେଇ ସ୍ଥାନୀୟ ପ୍ରଶାସନର ତତ୍‍କ୍ଷଣାତ ସହଯୋଗ ଲୋଡ଼ିଥିଲେ ବିଧାୟକ। ବଡ଼ମ୍ବା ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ତହସିଲଦାର ଦେବଦତ୍ତ ମହାନ୍ତ, କୋଭିଡ ଯତ୍ନ କେନ୍ଦ୍ର ମୁଖ୍ୟ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ, ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ ପ୍ରମୁଖଙ୍କୁ ସଂପୃକ୍ତ ମୃତକଙ୍କ ସମ୍ମାନର ସହିତ ଅନ୍ତିମ ସଂସ୍କାର ଲାଗି ବିଧାୟକ ଶ୍ରୀ ମିଶ୍ର ଦୃଷ୍ଟି ଆକର୍ଷଣ କରିବାସହ ଘଟଣାସ୍ଥଳରେ ନିଜେ ପହଞ୍ଚିଥିଲେ। ମୃତ ଶରୀର ପଡ଼ି ରହିବା ଏବଂ କରୋନା ଭୟରେ ସାହି ଲୋକ କେହି ମଧ୍ୟ ମୃତକଙ୍କ ଘର ପାଖ ମାଡ଼ୁନଥିବା ବେଳେ ବିଧାୟକଙ୍କ ସାହାସ ଭରା ଉପସ୍ଥିତି ଦେଖି ପରେ ପରେ କିଛିକିଛି ଲୋକ ସାହାଯ୍ୟ ଲାଗି ଆଗେଇ ଆସିଥିଲେ। ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ନରସିଂହ ସାହୁ, ବରିଷ୍ଠ ବିଜେଡି ନେତା ରଜନିକାନ୍ତ ବଳବନ୍ତରାୟ, ପ୍ୟାରୀମୋହନ ସ୍ୱାଇଁ ପ୍ରମୁଖ ଶବାଧାର ନିକଟରେ ପହଞ୍ଚି ବିଧାୟକଙ୍କ ଏତାଦୃଶ କାର୍ଯ୍ୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସହଯୋଗ କରିଥିଲେ। ପରେ ଜନସ୍ୱାସ୍ଥ୍ୟ ଅଧିକାରୀ ଶରତଚନ୍ଦ୍ର ଖୁଣ୍ଟିଆ, ବ୍ଲକର ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ମିଶ୍ର ପ୍ରମୁଖ କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପହଞ୍ଚି ଗ୍ରାମ୍ୟ ସ୍ମଶାନକୁ କୋଭିଡ ନିୟମନୁଯାଇ ମୃତକଙ୍କ ଅନ୍ତିମ ସଂସ୍କାର କରିଥିଲେ। ମୃତକଙ୍କ କନିଷ୍ଠପୁତ୍ର ଲକ୍ଷ୍ମୀଧର ସାହୁ ମୁଖାଗ୍ନି ଦେଇଥିଲେ।

Comments are closed.