ଶ୍ରମିକଙ୍କୁ ଭୂତ ଭୟ : ମଶାଣିରେ ଶୋଇଲେ ବିଧାୟକ

0

ଗୋଦାବରୀ (ଆନ୍ଧ୍ରପ୍ରଦେଶ) : ସାଧାରଣରେ ଏକ ଧାରଣା ରହିଛି ରାଜନେତାଙ୍କ ଭିତରେ କୌଣସି ଆଦର୍ଶ ନାହିଁ। ଅଧିକାଂଶ ରାଜନେତା ଦୁର୍ନୀତିଗ୍ରସ୍ତ ଓ ସ୍ବାର୍ଥପର; ମାତ୍ର ଏଭଳି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ଆନ୍ଧ୍ରପ୍ରଦେଶ ଶାସକ ତେଲଗୁଦେଶମ୍‌ ପାର୍ଟି (ଟିଡିପି)ର ଜଣେ ବିଧାୟକ। ଗୁଣିଗାରେଡ଼ି, ଅନ୍ଧବିଶ୍ବାସ, ଭୂତ-ପ୍ରେତକୁ ନେଇ ଲୋକଙ୍କ ଭିତରେ ଏବେ ବି କୁଝଟ୍ଟିକା ଲାଗି ରହିଛି। ତେବେ ସାଧାରଣରେ ଭୂତପ୍ରେତ ଡ଼ର ଛଡ଼ାଇବା ଲାଗି ବିଧାୟକ ଜଣକ ଏକ ମଶାଣିରେ ଗୋଟିଏ ରାତି ଏକାକୀ କଟାଇଛନ୍ତି। ବିଶେଷ କରି ସରକାରଙ୍କ ପକ୍ଷରୁ ଶ୍ମଶାନ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାବେଳେ ଶ୍ରମିକମାନେ ଏଠାରେ ଭୂତ-ପ୍ରେତ ଡର ଯୋଗୁଁ କାର୍ଯ୍ୟ କରିବାକୁ ଅରାଜି ହୋଇଥିଲେ। ଏପରିକି ଶ୍ମଶାନରେ କାମ କଲେ ଭୂତ ତଥା ଅତୃପ୍ତ ଆତ୍ମା ସେମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ସବାର ହେବା ଶ୍ରମିକମାନେ ଆଶଙ୍କା କରି କାମ କରୁ ନଥିଲେ। ଏହି ସୂଚନା ପାଇବା ପରେ ଶ୍ରମିକମାନଙ୍କ ଭୂତ ଡର ଛଡ଼ାଇବା ପାଇଁ ଏହି ଟିଡିପି ବିଧାୟକ ନିମ୍ମାଲା ରାମା ନାଇଡୁ ଗୋଟିଏ ରାତି ଶ୍ମଶାନରେ ଶୋଇଛନ୍ତି। ବିଧାୟକ ଶ୍ରୀ ନାଇଡୁଙ୍କ ଏହି ଆଦର୍ଶ କାର୍ଯ୍ୟକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି।
ଗୋଦାବରୀ ଜିଲାର ପାଲାକୋଲେ ବିଧାନସଭା କ୍ଷେତ୍ରରେ ଏକ ହିନ୍ଦୁ ଶ୍ମଶାନ ବାଟିକାର ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ହୋଇପଡ଼ିଥିଲା। ଏଠାରେ ପ୍ରେତାତ୍ମା ରହିଥିବା ଆଶଙ୍କା କରି ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଥିଲେ। ବିଧାୟକ ନାଇଡୁ ଏହା ଜାଣି ଗୋଟିଏ ରାତିରେ ଶ୍ମଶାନରେ କଟାଇବେ ବୋଲି ସାଧାରଣରେ ଘୋଷଣା କରିଥିଲେ। ସେହି ଅନୁଯାୟୀ ସେ ଗତକାଲି ରାତିରେ ଶ୍ମଶାନରେ ଏକାକୀ ବିଶ୍ରାମ ନେଇଥିଲେ। ଏହା ଫଳରେ ଏଠାରେ କାର୍ଯ୍ୟରତ ୫୦ ଶ୍ରମିକଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି ସହ ସେମାନଙ୍କ ଭୂତଭୟ ଛାଡ଼ିଥିଲା। ତିନିକୋଟି ଟଙ୍କା ଅନୁଦାନରେ ପଡ଼ିରହିଥିବା ଶ୍ମଶାନବାଟିକା ପୁନରୁଦ୍ଧାର କାର୍ଯ୍ୟ ଲାଗି ପୁର୍ନବାର ଶ୍ରମିକମାନେ ଫେରିଛନ୍ତି। ବିଧାୟକ ଶ୍ରୀ ରାମା ନାଇଡୁଙ୍କ ଏହି କାର୍ଯ୍ୟକୁ କେରଳଠାରୁ କାଶ୍ମୀର ପର୍ଯ୍ୟନ୍ତ ସର୍ବତ୍ର ବିଭିନ୍ନ ରାଜନେତା ଓ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି।

Leave A Reply