ଜେଲରୁ ମୁକୁଳିଲେ ବିଧାୟକ ଆକାଶ ବିଜୟବର୍ଗୀୟା

ଭୋପାଳ : କ୍ରିକେଟ ବ୍ୟାଟ୍‌ରେ ପୌର ଅଧିକାରୀଙ୍କୁ ପିଟିବା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟା ରବିବାର ମୁକୁଳିଛନ୍ତି । ଜେଲରୁ ମୁକୁଳିବା ପରେ ଆକାଶ ବିଜୟବର୍ଗୀୟା ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହା ପରେ ସେ ନିଜ ଘରକୁ ଯିବେ । ସେଠାରେ ଦିନସାରା ବିଜେପି କର୍ମୀଙ୍କ ସହ ଦେଖା କରିବାର କାର୍ଯ୍ୟକ୍ରମ ରହିଛି ।

ଜେଲରୁ ବାହାରି ପ୍ରତିକ୍ରିୟା ଦେଇ ଆକାଶ ବିଜୟବର୍ଗୀୟା କହିଛନ୍ତି ଯେ, ଅଞ୍ଚଳର ଲୋକଙ୍କ ପାଇଁ କାମ କରିବି ଏବଂ ଜେଲରେ ସମୟ ଭଲରେ କଟିଛି । ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ, ଯେପରି ଭାବରେ ପୁଲିସ ସାମ୍ନାରେ ଜଣେ ମହିଳାଙ୍କୁ ଘୋଷାରି ନେଉଥିଲା ମୁଁ ତାହା ସହ୍ୟ କରିପାରିଲି ନାହିଁ । ସେହି ସମୟରେ ମୋତେ ଯାହା ଠିକ୍ ଲାଗିଲା ମୁଁ କଲି । ସେଥିପାଇଁ ମୁଁ ଲଜ୍ଜିତ ନୁହେଁ । ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଦ୍ବିତୀୟ ଥର ଏଭଳି ପରିସ୍ଥିତି ସୃଷ୍ଟି ନ ହେଉ ।

ସୂଚନାଯୋଗ୍ୟ, ପୌର ଅଧିକାରୀଙ୍କୁ କ୍ରିକେଟ ବ୍ୟାଟ୍‌ରେ ପିଟିବା ଅଭିଯୋଗରେ ଜୁନ ୨୬ରେ ଇନ୍ଦୋରରୁ ଗିରଫ ହୋଇଥିଲେ । ଶନିବାର ଭୋପାଳ ଜିଲା ଫାଷ୍ଟ ଟ୍ରାକ୍‌ କୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା । ଆକାଶ ହେଉଛନ୍ତି ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ଓ ସେ ପ୍ରଥମ ଥର ଇନ୍ଦୋର-୩ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Comments are closed.