ରାଜଧାନୀରେ ବିଧାୟକ ବି ଅସୁରକ୍ଷିତ

ଭୁବନେଶ୍ବର: ରାଜଧାନୀରେ ବଢ଼ିଚାଲିଛି ଚୋରି ଓ ଲୁଟ୍‌ପାଟ୍‌। ଏଠାରେ ବିଧାୟକଙ୍କ କ୍ବାର୍ଟର୍ସ ବି ସୁରକ୍ଷିତ ନୁହେଁ । ୟୁନିଟ୍‌-୮ ଅଞ୍ଚଳରେ ରହୁଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ସରକାରୀ ବାସଭବନରେ ଗତକାଲି ୨ଜଣ ଦୁର୍ବୃତ୍ତ ଏକାଧିକବାର ପଶି ଚୋରି କରିଛନ୍ତି। କ୍ବାର୍ଟର୍ସର ପଛ ପଟ ତାଡ଼ି ଭିତରେ ପଶି କମ୍ପ୍ୟୁଟର, ପ୍ରିଣ୍ଟର ଓ ଇନଭର୍ଟର ଆଦି ଚୋରି କରିଛନ୍ତି। ଏନେଇ ବିଧାୟକଙ୍କ କ୍ବାର୍ଟର୍ସରେ ରହୁଥିବା କର୍ମଚାରୀ ସାରଦା ମହାପାତ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଗତ ମାସକ ମଧ୍ୟରେ ଏହା ଦ୍ବିତୀୟ ଚୋରି। ଏହା ପୂର୍ବରୁ ଅନ୍ୟ ଜଣେ ବିଧାୟକଙ୍କ କ୍ବାର୍ଟର୍ସରୁ ଚୋରି ହୋଇଛି। ଗତ ମାସରେ ୟୁନିଟ୍‌-୨ ମହାତ୍ମା ଗାନ୍ଧୀ ମାର୍ଗରେ କ୍ବାର୍ଟର୍ସ ନଂ-ବି-୧ରେ ରହୁଥିବା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କ କ୍ବାର୍ଟର୍ସରୁ ଚୋରି ହୋଇଥିଲା। ସୂଚନା ମୁତାବକ ବିଧାୟକ ଶ୍ରୀ ରନ୍ଧାରୀ ଏବେ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇଛନ୍ତି। ତେବେ ତାଙ୍କ କ୍ବାର୍ଟର୍ସରେ ଦୁଇ ଜଣ କର୍ମଚାରୀ ସାରଦା ଏବଂ ଚନ୍ଦନ ରହୁଛନ୍ତି। ଗତକାଲି ସେମାନେ ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ କ୍ବାର୍ଟର୍ସରେ ଦିନ ବେଳେ ପଶିଥିଲେ। ପରେ ସେମାନେ ରାତିରେ ମଧ୍ୟ ପୁନର୍ବାର ପଶି କମ୍ପ୍ୟୁଟର, ଇନଭର୍ଟର ଓ ପ୍ରିଣ୍ଟର ଆଦି ନେଇ ଯାଇଛନ୍ତି। ଏସବୁ ବିଧାୟକଙ୍କ କ୍ବାର୍ଟର୍ସରେ ଲାଗିଥିବା ସିସିଟିଭିରେ ରେକର୍ଡିଂ ହୋଇଛି। ପୁଲିସ ଉକ୍ତ ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି। ସାରଦାଙ୍କ କହିବା ଅନୁସାରେ ଅଭିଯୋଗ କରିଥିଲେ ସୁଦ୍ଧା ନୂଆପଲ୍ଲୀ ଥାନାର କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ଏମିତିକି ଘରେ ଥିବା ସିସିଟିଭି ରେକର୍ଡିଂ ଆଣିବାକୁ ତାଙ୍କୁ କହିଥିଲେ। ସିସିଟିଭି ରେକର୍ଡିଂରୁ ଚୋର ୨ ଜଣ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନିଥିବା ଜଣାପଡ଼ିଛି।

Comments are closed.