ବିଧାୟକଙ୍କ ଅପଯଶ,ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡମିଳୁ

ବଲାଙ୍ଗୀର ଜିଲା ପାଟନାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଉଠବସ୍‌ କରାଇବାସହ ଜଣେ ବିଭାଗୀୟ ଉପରିସ୍ଥ ଯନ୍ତ୍ରୀଙ୍କ ମାଧ୍ୟମରେ ତାଙ୍କୁ ଯେପରି ଚାପୁଡ଼ା ଖୁଆଇଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ଜଣେ ସରକାରୀ କର୍ମଚାରୀଙ୍କୁ ସେ ଦଣ୍ଡିତ ଓ ଅପମାନିତ କରି କେବଳ ଆଇନକୁ ହାତକୁ ନେଇନାହାନ୍ତି, ଲୋକପ୍ରତିନିଧିଙ୍କ ମର୍ଯ୍ୟାଦା, ଦଳୀୟ ଅନୁଶାସନ ଓ ନିଜ ନେତାଙ୍କ ଭାବମୂର୍ତ୍ତିକୁ ମଧ୍ୟ ନଷ୍ଟ କରିଛନ୍ତି। ଲୋକଙ୍କ ଚାପରେ ପଡ଼ି ଏଭଳି କାର୍ଯ୍ୟ କରିଛନ୍ତି ବୋଲି ବିଧାୟକ କହିବା ସହ ଯେଉଁ ଦୁଃଖପ୍ରକାଶ କରିଛନ୍ତି ତାହା ‘ଗୋଇଠା ମାରି ବିଷ୍ଣୁ’ କହିବା ଭଳି ଲାଗୁଛି। ସଂପୃକ୍ତ ଯନ୍ତ୍ରୀଜଣକ ତଫସିଲଭୁକ୍ତ ଉପଜାତିବର୍ଗର ହୋଇଥିବାରୁ ବିଧାୟକ ତାଙ୍କୁୁ ଅପମାନିତ ଓ ଦଣ୍ଡିତ କରିଥିବାରୁ ଆଇନତଃ ଦୋଷୀ।
ବିଧାୟକ ଜଣକ ବିଜୟ ଉଲ୍ଲାସରେ ଅତିଶୟ ଉତ୍ସାହିତ ହୋଇ ଏଭଳି କାର୍ଯ୍ୟ କରିଛନ୍ତି ନା ସେ ସ୍ବଭାବତଃ ଏଭଳି ଉଗ୍ର ଓ ଅହଂକାରୀ ସ୍ବଭାବର ତାହା ଅନୁସନ୍ଧାନ ସାପେକ୍ଷ। ଦୁଃଖର କଥା ଶାସକଦଳର ଜଣେ ବିଧାୟକ ଏଭଳି ଅଭଦ୍ର ଆଚରଣ ପ୍ରଦର୍ଶନ କରିବା ସତ୍ତ୍ବେ ଦଳପକ୍ଷରୁ କେହି ମୁହଁ ଖୋଲି ନାହାନ୍ତି କିମ୍ବା ଏଭଳି ଘଟଣାକୁ ନିନ୍ଦା କରିନାହାନ୍ତି। ଏଭଳି କାର୍ଯ୍ୟ ପ୍ରତି ବିଜେଡିର କ’ଣ ଅନୁମୋଦନ ରହିଛି ? ପୂର୍ତ୍ତମନ୍ତ୍ରୀ କହିଛନ୍ତି ଯେ ଘଟଣାର ତଦନ୍ତ ଆଦେଶ ଦିଆଯାଇଛି ଓ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ। ଦଳ ଯେତେବେଳେ ଶାସନ‌େର ଅଛି ସେତେବେଳେ ବିଧାୟକଙ୍କୁ ଖସାଇ ଦେବାର ସବୁ କସରତ୍‌ ହୋଇପାରେ। ତେଣୁ ତଦନ୍ତ, ଅନୁସନ୍ଧାନ ସବୁ ବାଏଁ ବାଏଁ ଉଡ଼ିଯାଇପାରେ। ସଂପୃକ୍ତ ଯନ୍ତ୍ରୀଙ୍କୁ ନ୍ୟାୟ ଯେପରି ମିଳିବ ସେଥିପାଇଁ ସବୁ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା ଉଚିତ। ଦୋଷୀଙ୍କୁ ଦଣ୍ଡ ମିଳିଲେ ଲୋକଙ୍କର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ବଢ଼ିବ ଏବଂ ଆଇନର ଶାସନ ଉପରେ ବିଶ୍ବାସ ରହିବ।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭାବମୂର୍ତ୍ତି, ଆଚରଣ ଓ ନୀତି ଯୋଗୁ ବିଶେ​‌ଷ ଲୋକପ୍ରିୟ। ତାଙ୍କ ଦଳର ଜଣେ ବିଧାୟକ ଏଭଳି ଘୃଣିତ କାମ କରିବା ନିଶ୍ଚୟ ତାଙ୍କ ଭାବମୂର୍ତ୍ତିକୁ ମ୍ଳାନ କରିପାରେ। ସଂପୃକ୍ତ ବିଧାୟକଙ୍କୁ କୌଣସି ରାଜନୈତିକ ସୁରକ୍ଷା ନ’ଦେଇ ଆଇନକୁ ତା’ ବାଟରେ ଯିବାକୁ ଛାଡ଼ି ଦିଆଯାଉ। ଦଳୀୟ ବିଧାୟକଙ୍କ ଆଚରଣ ଉପରେ ନିଘା ଓ ନିୟନ୍ତ୍ରଣ ରଖି ସେମାନଙ୍କୁ ଅନୁଶାସିତ କରାଯାଉ।

Comments are closed.