ପୂର୍ବତନ ବିଧାୟକ ମୁରଲୀ କୁଅଁରଙ୍କ ପରଲୋକ

0

କେନ୍ଦୁଝର : କେନ୍ଦୁଝର ଜିଲାର ତତ୍କାଳୀନ ରାମଚନ୍ଦ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୩ଥରର ବିଧାୟକ ମୁରଲୀ କୁଅଁର (୯୧) ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଇହଲୀଳା ସମ୍ବରଣ କରିଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥତା ଅନୁଭବ କରିବା ପରେ କିଛିଦିନ ତଳେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କ ନିକଟରେ ୫ପୁଅ ମଧ୍ୟରୁ ପରେଶ ଉପସ୍ଥିତ ଥିବାବେଳେ ମୃତ୍ୟୁଖବର ପାଇ ପରେ ଅନ୍ୟ ସମସ୍ତ ୪ପୁଅ ଓ ବୋହୂ, ୬ଝିଅ ଓ ଜ୍ୱାଇଁ, ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ପହଞ୍ଚି ଶେଷଦର୍ଶନ କରିଥିଲେ। ୧୭ ଜୁଲାଇ ୧୯୩୨ରେ ଘସିପୁରା ବ୍ଲକ ମଦନପୁରରେ ଜନ୍ମଗ୍ରହଣ କରିଥିବା ମୁରଲୀ ଭଦ୍ରକ ମହାବିଦ୍ୟାଳୟରୁ ଆଇ.ଏ. ପାସ୍‍ ପରେ ରାଜନୀତିରେ ପାଦଥାପି ୧୯୫୬ ମସିହାରେ ପ୍ରଥମେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତି ସମୟରେ ୧୯୫୭ ମସିହାରେ ଘସିପୁରା ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୯୫୮ରେ ଜିଲା ବୋର୍ଡ ଅଧ୍ୟକ୍ଷ ଏବଂ ପରେ ଦୀର୍ଘବର୍ଷ ଧରି ଜିଲା କଂଗ୍ରେସ ସଭାପତି ଭଳି ଗୁରୁ ଦାୟିତ୍ୱକୁ ନିର୍ବାହ କରି ନିଜର ସାଙ୍ଗଠନିକ ଦକ୍ଷତାର ପରିଚୟ ପ୍ରଦାନ କରିଥିଲେ। ଏହାପରେ ୧୯୬୧ ଓ ୭୧ରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ରାମଚନ୍ଦ୍ରପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୭୪ ମସିହାରେ ୟୁଟିସି ଦଳର ପ୍ରାର୍ଥୀ ଭାବେ ଶେଷଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନିଜର ନୀର୍ଭିକତା ଓ ସଚ୍ଚୋଟପଣିଆ ପାଇଁ ସ୍ୱର୍ଗତଃ କୁଅଁର ନିଜ ନିର୍ବାଚନମଣ୍ଡଳୀ ନୁହେଁ ବରଂ ସମଗ୍ର ରାଜ୍ୟରେ ଜଣେ ଦକ୍ଷ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିବାକୁ ସକ୍ଷମ ହୋଇଥିଲେ। ଦଳୀୟ ରାଜନୀତି ସହ ଜଡିଥି ଥିଲେହେଁ ସ୍ୱର୍ଗତଃ କୁଅଁର କାହାରି ପ୍ରତି ରାଜନୈତିକ ଶତୃତା ଆଚରଣ ନକରି ସମସ୍ତଙ୍କ ପ୍ରତି ଆପଣାର ମନୋଭାକ ତାଙ୍କୁ ଜଣେ ସଫଳ ରାଜନୀତିଜ୍ଞ ଭାବେ ସମଗ୍ର ଜିଲାରେ ପରିଚିତି ଆଣି ଦେଇଥିଲା। ରାଜ୍ୟ ବିଜେପିର ବରିଷ୍ଠ ନେତା ମୁରଲୀ ଶର୍ମା ସ୍ୱର୍ଗତଃ କୁଅଁରଙ୍କ ମୃତ୍ୟୁ ଖବର ପାଇ ହସ୍ପିଟାଲରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ସ୍ୱର୍ଗତଃ କୁଅଁର ୩ଥର ବିଧାୟକ ହୋଇଥିଲେ ହେଁ କେବେ କ୍ଷମତାଲିପ୍ସୁ ନଥିଲେ ଏବଂ କ୍ଷମତା ପାଇଁ ବିବେକ ସହ ସାଲିସ କରିନଥିବା ଭଳି ତାଙ୍କର ନୀତି ଓ ଆଦର୍ଶ ଆମ୍ଭମାନଙ୍କୁ ସର୍ବଦା ପ୍ରେରଣା ଯୋଗାଉଥିବ ବୋଲି ବିଜେପି ନେତା ଶ୍ରୀ ଶର୍ମା ତାଙ୍କ ଶୋକବାର୍ତ୍ତାରେ ଏହା କହିଛନ୍ତି।

Leave A Reply