ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ସମ୍ପାଦକଙ୍କ ଦୁର୍ନୀତି ପ୍ରସଙ୍ଗ; ଜିଲ୍ଲା ଅଧିକାରୀମାନଙ୍କ ତଦନ୍ତ

ମୋହନା : ଗଜପତି ଜିଲ୍ଲା ମୋହନାଠାରେ ରହିଥିବା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ସମ୍ପାଦକଙ୍କ ବିରୁଦ୍ଧରେ ଅନେକ ସମସ୍ୟା ତଥା ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ଯେପରିକି ଦୀର୍ଘ ବର୍ଷଧରି କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ବର୍ଷ ବର୍ଷ ଧରି ପ୍ରାପ୍ୟ ଦିଆ ନଯିବା, ବାଇଲାରେ ପରିବର୍ତନ, ଅନୁଦାନକୁ ବାଟମାରଣା, କମିଟିବୃନ୍ଦଙ୍କ ନକଲି ଦସ୍ତଖତ, ନୂତନ କର୍ମଚାରୀ ନିଯୁକ୍ତି, ପଦବୀ ଆସକ୍ତି ଇତ୍ୟାଦି। ଏ ସମ୍ପର୍କରେ ୨୨ ତାରିଖ ଦିନ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସହକାରୀ ଉପଜିଲ୍ଲପାଳଙ୍କୁ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁଙ୍କ ଦୁର୍ନୀତି, ମନମୁଖୀ କାର୍ଯ୍ୟକଳାପ ଓ କଳାକାରନାମା ସମ୍ପର୍କରେ ମୌଖିକ ଓ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତି କରି ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଧେଶକ୍ରମେ ସହକାରୀ ଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ, ଉପଖଣ୍ଡ ସାମାଜିକ ଅଧିକାରୀ ସନ୍ତୋଷ କୁମାର ନାୟକ ଆସି ପୁରୁଣା କର୍ମଚାରୀ ଓ କମିଟି ବୃନ୍ଦଙ୍କ ସହ ଆଲୋଚନା କରି ଆବଶ୍ୟକ ନଥିପତ୍ର ଯାଂଚ କରି ନେଇଛନ୍ତି।

ସେ ଦେଖିଲେ ବର୍ତମାନ ବାଇଲାରେ ପୂର୍ବରୁ ରହିଆସୁଥିବା ସମ୍ପାଦକ ପଦବୀରେ ଦଣ୍ଡାସୀ ସାହୁ ବାଇଲାକୁ ନିଜ ମନମୁତାବକ ଭାବେ ତାକୁ ବଦଳାଇ ଦେଇଛନ୍ତି। ସେ ସମ୍ପାଦକଙ୍କ ପଦବୀରେ ରହି ସଭାପତିଙ୍କୁ କାର୍ଯ୍ୟଭାର ନଦେଇ ନିଜେ ସମସ୍ତ କାର୍ଯ୍ୟଭାର ନିଜେ ତୁଲାଉଛନ୍ତି। ଉପସ୍ଥିତ ଅଧିକାରୀମାନେ ସମ୍ପାଦକଙ୍କୁ ୨୦୧୫ ଠାରୁ ୨୦୨୦ ପର୍ଯ୍ୟନ୍ତ ବିଦ୍ୟାଳୟର କେସ ରେକର୍ଡ, ଯେଉଁ କର୍ମଚାରୀମାନଙ୍କର ଦରମା କେନ୍ଦ୍ରୀୟ ଅନୁଦାନରୁ ନ ଆସିଲେ ସେମାନଙ୍କୁ ୫୦ ଶତକଡା ଦେବାପାଇଁ ରେଜୁଲେସନ ଖାତାରେ ଲେଖାନଯିବା, କର୍ମଚାରୀମାନଙ୍କୁ ଦରମା ଦେଉଥିବା ଖାତା ଦେଖାଇ ନପାରିବା, ବିଦ୍ୟାଳୟର ସ୍ଥାୟୀ ଜମିପଟ୍ଟା ଦେଖାଇ ନପାରିବା, ବିଦ୍ୟାଳୟର ଜେନେରାଲ ଆକଉଟଂର ଅଡିଟ୍‍ ରିପୋର୍ଟ ଦେଖାଇ ନପାରିବା, କର୍ମଚାରୀମାନଙ୍କର ବକେୟା ଦରମା ଦେଇ ନପାରିବା ଓ କେତେକ କମିଟି ବୃନ୍ଦଙ୍କ ନକଲି ଦସ୍ତଖତ କରିଥିବା ଦେଖିବାକୁ ପାଇଥିଲେ। ଅପରପକ୍ଷେ ଅଡବା ଜୋନ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ନବନିର୍ମାଣ ଆଦିବାସୀ ସୁରକ୍ଷା ମଚଂର ସଭାପତି ନିର୍ମଲ ପାଲ, ପୂର୍ବତନ ସରପଚଂ ରାଜୀବ ମଳିକ, ଯୁନେଶ ଶବର ଉପସ୍ଥିତ ରହି ଆସିଥିବା ଅଧିକାରୀମାନଙ୍କୁ ବିଦ୍ୟାଳୟର ଦୁର୍ନିତି ସମ୍ପର୍କରେ କହିବା ସହ ପଚାରିଥିଲେ ଆଜକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ରେଜୁଲେସନର ଲେଖା ଅନୁସାରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ବିଦ୍ୟାଳୟର ସଭାପତି ପଦବୀରେ ୫ ବର୍ଷ ପାଇଁ ରହି ପାରିବେ। କିନ୍ତୁ ଆଜି ପର୍ଯ୍ୟନ୍ତ କାହିଁକି ବିଧାୟକଙ୍କୁ ସଭାପତି ପଦବୀରେ ରଖାଯାଇନାହିଁ। ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମ ପରିମାଣରେ ଥିବା ବେଳେ ତାହାକୁ କିପରି ୨୦୦ ପିଲା ଥିବା ଦେଖାଇଛନ୍ତି ସମ୍ପାଦକ, ପିଲାସଂଖ୍ୟା ଠାରୁ ନୂତନ ଶିକ୍ଷକ ଶିକ୍ଷୟତ୍ରୀ କିପରି ଅଧିକ ନିଯୁକ୍ତି ପାଇଲେ, ବିଦ୍ୟାଳୟ ପରିସରରେ ଶୌଚାଳୟ ଥିବା ସତ୍ୱେ ପୁଣି ୧୦ଟି ନୂତନ ଶୌଚାଳୟ କିପରି ନିର୍ମାଣ ହେଲା। ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ସମୟରେ ୨୦୨୦ ମାର୍ଚ୍ଚ ମାସଠାରୁ ବିଦ୍ୟାଳୟ ଗୁଡିକ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା ସେହି ସମୟରେ ଛାତ୍ରଛାତ୍ରୀ ସଂଖ୍ୟା ୬୦ ରୁ ୭୦ ଜଣ ଥିବା ବେଳେ ବିଦ୍ୟାଳୟ ନଖୋଲି ୯ ମାସ ମଧ୍ୟରେ କିପରି ୨୦୦ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଛି। ତାହାର ସତ୍ୟାସତ୍ୟ ତଦନ୍ତ କରି ଦାୟିତ୍ୱରେ ଥିବା ସମ୍ପାଦକ ଦଣ୍ଡାସୀ ସାହୁଙ୍କୁ ତୁରନ୍ତ ନିଜ ପଦବୀରୁ ବହିଷ୍କୃତ କରି ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ସୁଷମା ମଳିକ ପୁରୁଣା ବାଇଲାକୁ ପରିବର୍ତନ କରି ନୂତନ ବାଇଲା କିପରି କମିଟି ଅଜାଣତରେ କରାଗଲା, ପୁରୁଣା କର୍ମଚାରୀଙ୍କୁ ବେଠକ ନକରି କାହିଁକି କାର୍ଯ୍ୟରୁ ବହିଷ୍କାର କରାଗଲା, ସେମାନଙ୍କ ବକେୟା ଦରମା ତୁରନ୍ତ ଦିଆଯାଉ ବୋଲି ଉପସ୍ଥିତ ସରକାରୀ ଅଧିକାରୀମାନଙ୍କୁ ଅବଗତ କରିଥିଲେ। ସରକାରୀ ଅଧିକାରୀମାନେ ବୈଠକ ସାରି ଫେରିବା ପରେ ସମ୍ପାଦକ ଶ୍ରୀ ସାହୁ ପୂର୍ବତନ ଖେଳ ଶିକ୍ଷକ ରମେଶ ସାହୁଙ୍କୁ ଦୁଃବ୍ୟବହାର କରିବା ସହ ଠେଙ୍ଗାରେ ବାଡେଇବା ପାଇଁ ଧମକ ଦେବା ଓ କର୍ମଚାରୀମାନଙ୍କୁ ଥାନା ଓ ଜେଲରେ ପୁରାଇଦେବାର ଧମକ ଦେଇଥିଲେ।

Comments are closed.