ମିଜୋରାମରେ କଂଗ୍ରେସ ସହିତ ମେଣ୍ଟ କରିବ ବିଜେପି!

0

ନୂଆଦିଲ୍ଳୀ: ଆସନ୍ତା ବିଧାନସଭା ନିର୍ବାଚନରେ ମିଜୋରାମ୍‍ରେ ବିଜେପି ତାର ଚିରାଚରିତ ଶତ୍ରୁ କଂଗ୍ରେସ ସହିତ ମେଣ୍ଟ କରିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ସୂଚନା ଦେଇଛନ୍ତି ବିଜେପିର ମିଜୋରାମ୍‍ ଦାୟିତ୍ୱରେ ଥିବା ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।
୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଖ୍ରୀଷ୍ଟିୟାନ ବହୁଳ ମିଜୋରାମ୍‍ର ଭୋଟର ସଂଖ୍ୟା ୭.୬୮ ଲକ୍ଷ। ଉତ୍ତର-ପୂର୍ବାଞ୍ଚଳର କେବଳ ଏହି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ବିଜେପି ଏକାକୀ କିମ୍ବା ଭାଗୀଦାରୀରେ ଶାସନ କ୍ଷମତାରେ ରହିଛି। ତେଣୁ ମିଜୋରାମ୍‍ରେ ଶାସନରେ ରହିବା ଲାଗି ବିଜେପି ଉଦ୍ୟମ କରୁଛି। ସେଠାରେ କଂଗ୍ରେସ ଓ ମିଜୋ ନ୍ୟାଶ୍‍ନାଲ୍‍ ଫ୍ରଣ୍ଟ(ଏମ୍‍ଏନ୍‍ଏଫ୍‍ ) ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳ। ତେଣୁ ଯେ କୌଣସି ଗୋଟିଏ ଦଳ ସହିତ ବିଜେପି ମେଣ୍ଟ କରିବାକୁ ଚାହୁଁଛି। ମିଜୋରାମ୍‍ ବାସୀ ଆସନ୍ତା ବଡ଼ଦିନ ବିଜେପି ଶାସନରେ ପାଳିବେ ବୋଲି ଇତିମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି।
ଶ୍ରୀ ଶର୍ମାଙ୍କ ସୂଚନା ଅନୁଯାୟୀ, ବିଜେପି ରାଜ୍ୟରେ ତାର ସ୍ଥିତି ସୁଦୃଢ଼ କରିବାକୁ ଉଦ୍ୟମ କରୁଛି। ତେଣୁ ସବୁ ପ୍ରକାର ବିକଳ୍ପକୁ ଖୋଲା ରଖିଛି। ନିର୍ବାଚନ ପୂର୍ବରୁ ନ ହେଲେ ମଧ୍ୟ ନିର୍ବାଚନ ପରେ ଯେ କୌଣସି ଗୋଟିଏ ଦଳ ସହିତ ମେଣ୍ଟ କରିବାରେ ଅସୁବିଧା ନାହିଁ। କଂଗ୍ରେସ ସହିତ ମେଣ୍ଟ ପ୍ରସଙ୍ଗରେ ଶ୍ରୀଶର୍ମା କହିଛନ୍ତି ଯେ ରାଜ୍ୟରେ କଂଗ୍ରେସ ଶାସନ ଚାଲୁଥିଲେ ମଧ୍ୟ କଂଗ୍ରେସ ସମ୍ବିଧାନ ଚାଲୁନାହିଁ। କଂଗ୍ରେସ ନେତା ତଥା ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ୍‍ ଥାନ୍‍ାୱାଲାଙ୍କ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାର ଅଧିକାର ରହିଛି। ତାଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ଭଲ ରହିଛି। ଏଥିସହିତ ଏମ୍‍ଏନ୍‍ଏଫ୍‍ ନେତା ଜୋରାମଥାଙ୍ଗାଙ୍କ ସହିତ ମଧ୍ୟ ଆମର ସମ୍ପର୍କ ବ୍ୟକ୍ତିଗତ ଭାବେ ଭଲ। ତେଣୁ କଂଗ୍ରେସ କିମ୍ବା ଏମ୍‍ଏନ୍‍ଏଫ୍‍ ସହିତ ନୁହେଁ ବରଂ ଥାନାୱାଲା ଓ ଜୋରାମଥାଙ୍ଗାଙ୍କ ସହିତ ଆମେ ମେଣ୍ଟ କରିବାକୁ ଚାହୁଁଛୁ। ଏହାବ୍ୟତୀତ ସେଠାରେ ବିଜେପି କର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି। ଆମେ ଏଥର ମିଜୋରାମ୍‍ରେ ଆଶାତୀତ ସଫଳତା ହାସଲ କରିବୁ।
୨୦୦୮ରୁ କଂଗ୍ରେସ ସେଠାରେ କ୍ଷମତାରେ ଥିବା ବେଳେ କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି। ୨୦୦୮ ନିର୍ବାଚନରେ କଂଗ୍ରେସ ସେଠାରେ ୩୨ଟି ଆସନରେ ଜିିତିଥିବା ବେଳେ ଗତ ନିର୍ବାଚନରେ ଆସନ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିଲା।

Leave A Reply