ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି

ପାଟଣା : କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଗୁରୁବାର ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସାମାନ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖାଯାଇଛି।
ସୂଚନା ଅନୁସାରେ, ଏସ୍‌ପି ଆଜି ବାରିଆ ଥାନା ପରିଦର୍ଶନରେ ଯାଇ ସେଠାରୁ ତୁରୁମୁଙ୍ଗା ଥାନା ପରିଦର୍ଶନରେ ଆସୁଥିଲେ। ଏହି ସମୟରେ ଝାରବେଡା ଛକ ନିକଟ ୪୯ନମ୍ବର ଜାତୀୟ ରାଜପଥରେ ଏସପିଙ୍କ ଗାଡ଼ିକୁ ରାସ୍ତା ନିର୍ମାଣକାରୀ ସଂସ୍ଥା ମଣ୍ଟେକାଲା କମ୍ପାନୀର ଏକ ମିକ୍ସର ମେସିନ୍ ଗାଡ଼ି ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଏସ୍‌ପି ଗାଡ଼ିର ସାମ୍ନା ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ମଧ୍ୟ ଏସପି ମିତ୍ରଭାନୁ ମହାପାତ୍ର, ଗାଡ଼ି ଚାଳକ ଓ ପିଏସ୍ଓ ଦ୍ବୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଅଳ ଘଟଣା ସ୍ଥଳକୁ ଯାଇ ଏସପିଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଥାନାକୁ ଆଣିବା ସହ ଦୁର୍ଘଟଣା ଘଟାଇଥିବା ମିକ୍ସର ମେସିନ ଗାଡି ଓ ଚାଳକକୁ ଅଟକ ରଖିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଏସ୍‌ପି ତୁରୁମୁଙ୍ଗା ଥାନାକୁ ଆସି ଥାନା ପରିଦର୍ଶନ କରିବା ପରେ ପୁନଃ ଥାନା ଗାଡ଼ିରେ ଚମ୍ପୁଆ ଗସ୍ତ କରିଥିବା ଜଣାପଡିଛି।

Comments are closed.