ମିକ୍ସଚର୍‌ ବିକାଳିରୁ ବିଏସ୍ଏଫ୍ ଯବାନ

ଦୀପ୍ତିମୟୀଙ୍କ ସଂଘର୍ଷ କାହାଣୀ : ଅର୍ଥାଭାବ ଓ ଅ​‌େ​‌ସ୍ତ୍ରାପଚାର ପରେ ବି ସେନାରେ ଭର୍ତ୍ତି

ବ୍ରହ୍ମପୁର : କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ହେଉଛି ସଫଳତାର ଅନ୍ୟ ନାମ। ମଣିଷ ଯେଉଁ ପରିସ୍ଥିତିରେ ଥାଉନା କାହିଁକି ଯଦି କିଛି କରିବା ପାଇଁ ମନବଳାଏ ଓ ତା’ ପାଇଁ ସବୁକିଛି ତ୍ୟାଗ କରେ ତେବେ ସେ ଶୀର୍ଷରେ ପହଞ୍ଚିବା ଥୟ। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଦିପ୍ତୀମୟୀ ତରାଇ (୨୨)। ଅର୍ଥାଭାବ, ଆଖି ଓ ଗଳାରେ ୨ ଟି ଅ​‌େ​‌ସ୍ତ୍ରାପଚାର ପରେ ମଧ୍ୟ ସେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌)ରେ ଜଣେ ଯବାନ ଭାବେ ଭର୍ତ୍ତି ହେବାକୁ ଯାଉଛନ୍ତି। ମୋପେଡରେ ବୁଲି ବୁଲି ମିକ୍ସଚର ବିକୁଥିବା ଦିପ୍ତିମୟୀଙ୍କ ସଂଘର୍ଷର କାହାଣୀ ବେଶ୍‌ ଲମ୍ବା।
୩ ବର୍ଷ ହେବ ବ୍ରହ୍ମପୁରରେ ରହି ଆସୁଥିବା ଦିପ୍ତିମୟୀଙ୍କ ଘର ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଳକର ଓରା ଗ୍ରାମରେ। ବାପା ଓ ମାଆ ସହ ସେମାନେ ୪ ଭାଇ ଭଉଣୀ। ୨ ବଡ଼ ଭଉଣୀ ବାହା ହୋଇ ସାରିଥିବା ବେଳେ ବଡ଼ ଭାଇ ହେଲପର ଭାବେ କାମ କରୁଛନ୍ତି। ଘରେ ବାପା ମିକ୍ସଚର ପ୍ରସ୍ତୁତ କରି କୃଷ୍ଣପ୍ରସାଦ ନିକଟସ୍ଥ ବଜାରରେ ଥିବା ବିଭିନ୍ନ ଦୋକାନୀଙ୍କୁ ଯୋଗାଉଛନ୍ତି। କହିବାକୁ ଗଲେ ଦିପ୍ତିମୟୀଙ୍କ ପରିବାରର ଆର୍ଥିକସ୍ଥିତି ସେତେଟା ଭଲ ନୁହଁ। ଘରର ସ୍ଥିତି ଦେଖି ଯୁକ୍ତ ୨ ପରଠାରୁ ଦିପ୍ତିମୟୀ ପରିବାରର କାମରେ ସହଯୋଗ କରିଆସୁଥିଲେ। ଘରେ ମିକ୍ସଚର ପ୍ରସ୍ତୁତ କରିବା, ମୋପେଡରେ ବୁଲି ବୁଲି ଦୋକାନୀଙ୍କ ନିକଟରେ ପହଞ୍ଚାଇବା ଥିଲା ଦିପ୍ତିମୟୀଙ୍କ ନିତିଦିନିଆ କାମ। ୨୦୧୮ରେ ସେ ଯୁକ୍ତ ୩ ପଢା ସାରିଥିଲେ। ପିଲାବେଳୁ ତାଙ୍କର ଭାରତୀୟ ସେନା ପ୍ରତି ଦୁର୍ବଳତା ରହିଥିଲା। ଭବିଷ୍ୟତରେ ଜଣେ ଯବାନ ହେବାକୁ ସେ ସ୍ବପ୍ନ ଦେଖୁଥିଲେ। ଘରର ସ୍ଥିତି ଓ ଝିଅ ହୋଇଥିବାରୁ ବେଳେ ବେଳେ ତାଙ୍କ ଏହି ସ୍ବପ୍ନ କାଳେ ସ୍ବପ୍ନରେ ହିଁ ରହିଯିବ ବୋଲି ଅନୁଭବ ହେଉଥିଲା। ଯୁକ୍ତ ୩ ସରିବା ପରେ ସେ ପୁରୀରୁ ବ୍ରହ୍ମପୁରକୁ ଆସି ଗୋସାଇଁନୁଆଗାଁସ୍ଥିତ ସାମନ୍ତରାୟ ଏକାମଡେମୀକୁ ଯାଇ ଝିଅମାନେ ସେନାରେ ଭର୍ତ୍ତି ହେବାକୁ ହେଲେ କଣ ସବୁ ଆବଶ୍ୟକ ବୋଲି ବୁଝାବୁଝି କରିଥିଲେ। ଏଠାକୁ ଆସି ବୁଝାବୁଝି କରିବା ପରେ ତାଙ୍କର ସାହସ ବଢିଥିଲା। ଘର ଛାଡି ସେ ବ୍ରହ୍ମପୁରକୁ ଆସି ଷ୍ଟାଫ ସିଲେକସନ୍ କମିଶନ ପାଇଁ ପଢାପଢି ଆରମ୍ଭ କରିଥିଲେ। ଏଥିପାଇଁ ଦିପ୍ତିମୟୀଙ୍କ ମାମୁଁ ଓ ମାଇଁ ତାଙ୍କୁ ସହଯୋଗ କରିଥିଲେ। ବ୍ରହ୍ମପୁରରେ ପହଞ୍ଚିବା ପରେ ତାଙ୍କ ସାଙ୍ଗ ଝିଲି ମଧ୍ୟ ସାହାଯ୍ୟ କରିଥିଲେ। ଏକାଡେମୀରେ ଯୋଗଦେବା ପରେ ଜଣାପଡ଼ିଲା ତାଙ୍କ ଆଖିରେ ସମସ୍ୟା ରହିଛି। ଯାହା ସେନାରେ ଭର୍ତ୍ତି ହେବାରେ ପ୍ରତିବନ୍ଧକ ସାଜିପାରେ। ୨୦୧୮ ଅକ୍ଟୋବରରେ ସେ ନିଜ ଆଖିର ଅ​‌େ​‌ସ୍ତ୍ରାପଚାର କରିଥିଲେ। ଏହା ଭିତରେ ସକାଳ ୪ଟାରୁ ଉଠି ଦୌଡାଦୌଡି କରିବା ସହ ଦିନ ସାରା ଏକାଡେମୀରେ ପଢାପଢି କରିବା ଜାରି ରଖିଥିଲେ। ବିଏସଏଫ ପାଇଁ ୨୦୧୯ରେ ଲିଖିତ ପରୀକ୍ଷା ଦେବା ପରେ ସେ ସଫଳ ହୋଇଥିଲେ। ସେ​ପ୍ଟେମ୍ବରରେ ଫିଜିକାଲ ପରୀକ୍ଷା ହୋଇଥିଲା। ସେଥିରେ ସେ ଫେଲ୍‌ ହୋଇଯାଇଥିଲେ। ଜଣାପଡ଼ିଲା ତାଙ୍କ ଟନ୍‌ସିଲ ସମସ୍ୟା ରହିଛି। ଏଥିପାଇଁ ଅପରେସନ କରିବାକୁ ପଡ଼ିବ। ଟନ୍‌ସିଲ ପାଇଁ ଦିପ୍ତିମୟୀ ବାରମ୍ବାର ଭୁବନେଶ୍ବର ଦୌଡିଥିଲେ ମଧ୍ୟ କରୋନା ଯୋଗୁଁ ଅପରେସନ ହୋଇପାରି ନଥିଲା। ଏତେ ପାଠପଢି, ଶାରିରୀକ ପରିଶ୍ରମ କରି ଶେଷରେ ଟନସିଲ ପାଇଁ ଚାକିରି ମିଳିବନି ଭାବି ନିରୁତ୍ସାହିତ ହୋଇପଡ଼ିଥିଲେ। ତାଙ୍କ ଭାଗ୍ୟରେ ସେନାରେ ଭର୍ତ୍ତି ସୁଯୋଗ ନାହିଁ ବୋଲି ଭାବିଥିଲେ। କିନ୍ତୁ ମନକୁ ଦୃଢ କରି ଚିହ୍ନା ପରିଚୟ ଲୋକଙ୍କ ସାହାଯ୍ୟ ନେଇ ଶେଷରେ ଭୁବନେଶ୍ବର କିମ୍‌ସ୍‌ରେ ଟନ୍‌ସିଲ ଅପରେସନ କରାଇଥିଲେ। ଅପରେସନ ହେବାର ୧୦ ଦିନ ପରେ ୨୦୨୦ ଜାନୁଆରୀରେ ବିଏସ୍ଏଫ ପାଇଁ ହୋଇଥିବା ପୁନଃ ଫିଜିକାଲ ପରୀକ୍ଷାରେ ଯୋଗଦେଇ ସେ ପାସ୍‌ କରି ଦେଶର ସୀମା ସୁରକ୍ଷାରେ ନିୟୋଜିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିଛି ଦିନ ପରେ ସେ ଚାକିରିରେ ଯୋଗଦେବେ। ଦିପ୍ତିମୟୀ ନିଜ କାହାଣୀ କହିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ।

Comments are closed.