ଔଷଧ ନ ବାହାରିଲେ ଭାରତରେ ଭୟାବହ ହେବ ସ୍ଥିତି

ୱାଶିଂଟନ : କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଯଦି କୌଣସି ଟିକା ବା ଔଷଧ ପ୍ରସ୍ତୁତ କରା ନ ଯାଏ ତା’ହେଲେ ଭାରତ‌େ‌ର ଆଗାମୀ ଦିନରେ ସଂକ୍ରମଣ ସ୍ଥିତି ଆହୁରି ଭୟଙ୍କର ହୋଇପାରେ। ଏପରିକି ୨୦୨୧ ଶୀତ ଋତୁ ଶେଷ ସୁଦ୍ଧା ଭାରତରେ ପ୍ରତିଦିନ ପାଖାପାଖି ୨.୮୭ ଲକ୍ଷ ନୂତନ ସଂକ୍ରମିତ ସୃଷ୍ଟି ହୋଇପାରନ୍ତି। ଏମିତି ଏକ ଆକଳନ କରିଛନ୍ତି ଆମେରିକାର ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି)ର ଗବେଷକମାନେ। ଏମଆଇଟିର ସ୍ଲୋଆନ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଗବେଷକ ହାଜହିର ରହମାନ୍ଦାଦ, ଟିୱାଇ ଲିମ ଏବଂ ଜନ ଷ୍ଟେରମାନ ଏହି ଅନୁଧ୍ୟାନ ରିପୋର୍ଟରେ କହିଛନ୍ତି ଟିକା ବା ଔଷଧର ଅନୁପସ୍ଥିତିରେ ଆମେରିକାରେ ଦୈନିକ ୯୫,୪୦୦ଟି, ଦକ୍ଷିଣ ଆଫ୍ରିକାରେ ୨୦,୬୦୦ଟି, ଇରାନରେ ୧୭,୦୦୦ଟି, ଇଣ୍ଡୋନେସିଆରେ ୧୩,୨୦୦ଟି, ବ୍ରିଟେନରେ ୪,୨୦୦ଟି, ନାଇଜେରିଆରେ ୪,୦୦୦, ତୁର୍କୀରେ ୪,୦୦୦, ଫ୍ରାନ୍ସରେ ୩,୩୦୦ ଏବଂ ଜର୍ମାନୀରେ ୩,୦୦୦ଟି ନୂତନ କରୋନା ସଂକ୍ରମଣ ମାମଲା ଦେଖିବାକୁ ମିଳିବ। ଏପରିକି ବିଶ୍ବରେ ୨୪.୯ କୋଟି ଲୋକ ସଂକ୍ରମିତ ହେବେ ଏବଂ ୮୪ଟି ଦେଶରେ ୧.୭୫ ନିୟୁତ ଲୋକ ୨୦୨୧ ବସନ୍ତୁ ଋତୁ ସୁଦ୍ଧା ପ୍ରାଣ ହରାଇବେ। ଅଧ୍ୟୟନ ରିପୋର୍ଟରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି। ଏମଆଇଟି ଗବେଷକମାନେ ଏସଇଆଇଆର ମଡେଲ ବ୍ୟବହାର ପୂର୍ବକ ଏହି ଅାକଳନ କରିଛନ୍ତି। ଅନୁଧ୍ୟାନ ବେଳେ ବର୍ତ୍ତମାନ ସମୟରେ କରାଯାଉଥିବା ପରୀକ୍ଷା ଏବଂ ପ୍ରତିକ୍ରିୟା, ଜୁଲାଇ ୧ରୁ ପରୀକ୍ଷାହାରରେ ପ୍ରତିଦିନ୦.୧% ବୃଦ୍ଧି, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ଭାବ୍ୟ ସଂଖ୍ୟା ପ୍ରଭୃତିକୁ ବିଚାରକୁ ନେଇଥିଲେ। ବିଶ୍ବର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦% ସଂକ୍ରମିତ କେବଳ ୮୪ ରାଷ୍ଟ୍ରରେ ଅଛନ୍ତି। ଏହି ରାଷ୍ଟ୍ରଗୁଡିକର ମହାମାରୀ ସମ୍ବନ୍ଧୀୟ ତଥ୍ୟ ଭରସାଯୋଗ୍ୟ ସୂତ୍ରରୁ ସଂଗ୍ରହ କରି ଅନୁଧ୍ୟାନରେ ସାମିଲ କରାଯାଇଥିଲା।

Comments are closed.