ଗୋପଦ ପରେ ପ୍ରଶାସନର ‘ମିଶନ ଶୂନ ଫେଲ’: ପ୍ରତି ୪ଜଣ ଛାତ୍ରଙ୍କ ପାଇଁ ଜଣେ ମେଣ୍ଟର

କଟକ : କଟକ ଜିଲାରେ ‘ଗୋପଦ’ ଅଭିଯାନ ସଫଳତା ପରେ ଜିଲାପାଳ ଭବାନୀଶଙ୍କର ଚୟନୀ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେବା ପାଇଁ ଆଉ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ନାମ ରହିଛି ‘ମିଶନ ଶୂନ ଫେଲ’। ଜିଲାରେ ଶତ ପ୍ରତିଶତ ସଫଳତା ଲକ୍ଷ୍ୟ ହାସଲ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ। ଏହି ଅଭିଯାନରେ ପ୍ରତି ବିଦ୍ୟାଳୟରେ ଫେଲ ଆଶଙ୍କା ଥିବା ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯିବ। ପରୀକ୍ଷାରେ ସଫଳ ହେବା ପାଇଁ ଏହି ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ରଭାବେ ଶିକ୍ଷାଦାନ କରାଯିବ। ବିଦ୍ୟାଳୟର ଶିକ୍ଷକଙ୍କ ସମେତ ଶିକ୍ଷାଦାନ ସକାଶେ ଆଗ୍ରହୀ ଯୁବକଯୁବତୀଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଜିଲାପାଳ ଶ୍ରୀ ଚୟନୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପ୍ରତିବର୍ଷ ୨୮ରୁ ୩୦ହଜାର ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥାନ୍ତି। ସେମାନଙ୍କ ମଧ୍ୟରୁ ୪ରୁ ୫ହଜାର ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥାନ୍ତି। ପ୍ରତିବର୍ଷ ମାଟ୍ରିକ ଫେଲ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବଢିଚାଲିଛି। ମାଟ୍ରିକ ପାସ କରିପାରୁନଥିବାରୁ ଏହି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ବି ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ତଥା ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ସଫଳଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳ ‘ମିଶନ ଶୂନ୍ ଫେଲ’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ମିଶନରେ ଜିଲାର ସମସ୍ତ ଶିକ୍ଷକଙ୍କ ସମେତ ଶିକ୍ଷାଦାନ ପାଇଁ ଆଗ୍ରହୀ ସ୍ୱେଚ୍ଛାସେବୀ ଏବଂ ଅନ୍ୟ ସରକାରୀ ଚାକିରିଆଙ୍କୁ ସାମିଲ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ପ୍ରତି ବିଦ୍ୟାଳୟରେ ଫେଲ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇ ଶିକ୍ଷାଦାନ କରାଯିବ। ଏଥିପାଇଁ ପ୍ରତି ୪ଜଣ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ମେଣ୍ଟର ରହିବେ। କେଉଁ ବିଦ୍ୟାର୍ଥୀଙ୍କର କେଉଁ ବିଷୟରେ ଦୁର୍ବଳତା ରହିଛି, ତାହା ଅନୁଧ୍ୟାନ କରି ସେ ଶିକ୍ଷାଦାନ କରିବେ। ଏଥିପାଇଁ ୭ରୁ ୮ହଜାର ଶିକ୍ଷକଙ୍କୁ ଏଥିରେ ସାମିଲ କରାଯିବ। ଏଥିସହିତ ଶିକ୍ଷାଦାନ ପାଇଁ ଆଗ୍ରହୀ ବିଡିଓ, ତହସିଲଦାରଙ୍କ ସହିତ ଅମିନ ଏବଂ ଅନ୍ୟ କର୍ମଚାରୀଙ୍କୁ ବି ସାମିଲ କରାଯିବ। ଶିକ୍ଷାଦାନ ସହିତ ବିଦ୍ୟାର୍ଥୀଙ୍କୁ ମାଗଣାରେ ସ୍କୁଲ ଆଟଲାସ ସହିତ ବିଭିନ୍ନ ଗାଇଡ ପୁସ୍ତକ ଯୋଗାଇ ଦିଆଯିବ। ଗାଇଡ ଓ ଆଟାଲାସ ଯୋଗାଇଦେବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ଏଭଳି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସ୍ୱାଗତ କରିଛନ୍ତି। କଟକ ଜିଲାପାଳଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା ମାଟ୍ରିକ ପାସ ହାର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

Comments are closed.