ଏସଏଚଜି ସଦସ୍ୟାଙ୍କ ଆଙ୍ଗୁଳିକୁ ମୋଡ଼ି ନିର୍ଘାତ ଛେଚା ଖାଇଲେ ମିଶନ ଶକ୍ତି ସଂଯୋଜକ; ବ୍ଲକ୍ ଅଫିସ ଭିତରେ ପଶି ପିଟିଲେ ମହିଳା

ମହଙ୍ଗା ପଡ଼ିଲା ପାତର ଅନ୍ତର ନୀତି

ବାଲେଶ୍ବର: ପ୍ରକଳ୍ପ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ଜଣେ ମିଶନ ଶକ୍ତି ସଂଯୋଜକଙ୍କୁ ମହଙ୍ଗା ପଡ଼ିଛି। ଆଜି ମିଶନ ଶକ୍ତି ସଂଯୋଜକ ପାତରଅନ୍ତର କରିଥିବା ଅଭିଯୋଗରେ ତାଙ୍କୁ ନିସ୍ତୁକ ପିଟିଛନ୍ତି ଏସ୍‌ଏଚ୍‌ଜି ମହିଳା। ୩୦ରୁ ୪୦ ମହିଳା ବସ୍ତା ବ୍ଲକ ଅଫିସ ଭିତରେ ପଶି ନିସ୍ତୁକ ପିଟିଛନ୍ତି। ମିଶନ ଶକ୍ତି ସଂଯୋଜକଙ୍କୁ କୁଡ଼ିଆ ପଞ୍ଚାୟତ ଏସ୍‌ଏଚ୍‌ଜି ମହିଳା ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।


ମିଳିଥିବା ସୂଚନା ଅନୁଯାୟୀ ଏକ ପ୍ରକଳ୍ପ କାମକୁ ନେଇ ପାତରଅନ୍ତର କରୁଥିବା ଅଭିଯୋଗରେ ମିଶନ ଶକ୍ତି ସଂଯୋଜକଙ୍କୁ କୁଡ଼ିଆ ପଞ୍ଚାୟତ ଏସ୍‌ଏଚ୍‌ଜି ମହିଳା ମାଡ଼ ମାରିଛନ୍ତି। ପାତରଅନ୍ତର କରି ଜଣେ ମହିଳାଙ୍କୁ ପ୍ରକଳ୍ପ ଦେଇଥିବା ଅଭିଯୋଗ କରି ମିଶନ ଶକ୍ତି ସଂଯୋଜକଙ୍କ ସହିତ କୁଡ଼ିଆ ପଞ୍ଚାୟତ ଏସ୍‌ଏଚ୍‌ଜି ମହିଳା ଆଲୋଚନା କରୁଥିଲେ। ଏହି ସମୟରେ ମିଶନ ଶକ୍ତି ସଂଯୋଜକ ଜଣେ ଏସ୍‌ଏଚ୍‌ଜି ମହିଳାଙ୍କ ଆଙ୍ଗୁଠିକୁ ମୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ କୁଡ଼ିଆ ପଞ୍ଚାୟତ ଏସ୍‌ଏଚ୍‌ଜି ମହିଳାମାନେ ରାଗି ଯାଇ ବସ୍ତା ବ୍ଲକ କାର୍ଯ୍ୟାଳୟ ଭିତର ମିଶନ ଶକ୍ତି ସଂଯୋଜକଙ୍କୁ ବାହାରକୁ ଟାଣି ଆଣିଥିଲେ। ବ୍ଲକ ଅଫିସ ସମ୍ମୁଖରେ ମିଶନ ଶକ୍ତି ସଂଯୋଜକଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏପରିକି ଚେୟାର୍‌ ଉଠାଇ କେତେକ ମହିଳା ମିଶନ ଶକ୍ତି ସଂଯୋଜକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ କୁଡ଼ିଆ ପଞ୍ଚାୟତ ଏସ୍‌ଏଚ୍‌ଜି ମହିଳାଙ୍କୁ ବୁଝାସୁଝା କରିଥିଲେ ଏବଂ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଜଣାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବସ୍ତା ବ୍ଲକ ପରିସରରେ ପୁଲି ମୁତୟନ କରାଯାଇଛି। ଅପରପକ୍ଷରେ କୁଡ଼ିଆ ପଞ୍ଚାୟତ ଏସ୍‌ଏଚ୍‌ଜି ମହିଳାମାନେ ବସ୍ତା ଥାନାରେ ମିଶନ ଶକ୍ତି ସଂଯୋଜକଙ୍କ ନାମରେ ଅଭିଯୋଗ କରିଛନ୍ତି। ସେମାନେ ପଚରା ଉଚୁରା କରୁଥିବାବେଳେ ମିଶନ ଶକ୍ତି ସଂଯୋଜକ ସେମାନଙ୍କୁ ପ୍ରଥମେ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଥିବା ଜଣାପଡ଼ିଛି।

 

Comments are closed.