ସହରାଞ୍ଚଳରେ ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀକୁ ସୁଧମୁକ୍ତ ଋଣ

ଭୁବନେଶ୍ୱର: ସହରାଞ୍ଚଳରେ ବିଭିନ୍ନ ସେବା କ୍ଷେତ୍ର‌ରେ ଠିକାଦାରୀ ବ୍ୟବସ୍ଥା ବଦଳରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଗଲେ ଏହାଦ୍ବାରା ରାଜ୍ୟର ମହିଳା ଓ ସମ୍ବେଦନଶୀଳ ବର୍ଗର ଲୋକେ ସଶକ୍ତ ହୋଇପାରିବେ ବୋଲି ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍ କହିଛନ୍ତି। ବୁଧବାର ସହରାଞ୍ଚଳ ବିକାଶ କ୍ଷେତ୍ର‌ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକରେ ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ସହଭାଗିତାକୁ ମଝବୁତ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତିବିଭାଗ ମଧ୍ୟରେ ମିଳିତ ବୈଠକରୁ ଏହା ଜଣାଯାଇଛି।

ଆଭାସି ସମ୍ମିଳନୀ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ମାଥିଭାଥନନ ଓ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଯୋଗ ଦେଇ ସହରୀ ସେବା କ୍ଷେତ୍ରରେ ମିଶନ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ କିଭଳି ଅଧିକ ଶକ୍ତିଶାଳୀ କରାଯିବ ତା’ ଉପରେ ଗୁରୁତ୍ୱାରୋପ କରିଥିଲେ। ମିଶନ ଶକ୍ତି ବିଭାଗ ସଚିବ ଶ୍ରୀମତୀ କାର୍ତ୍ତିକେୟନ ବିକାଶଶୀଳ ଅର୍ଥନୀତି ପାଇଁ ମହିଳାଙ୍କ ନେତୃତ୍ବଧୀନ ଗୋଷ୍ଠୀର ପଦକ୍ଷେପ ତଥା ଉଦ୍ୟୋଗୀ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ। ସେ କହିଥିଲେ ଯେ ମିଶନ ଶକ୍ତି ଗୋଷ୍ଠୀକୁ ‘ମୁକ୍ତା’ ଯୋଜନାରେ ବିଭିନ୍ନ ପ୍ରକଳ୍ପ ଲାଗି କାର୍ଯ୍ୟପୁଞ୍ଜି ପାଇଁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ମିଶନଶକ୍ତିର ଏହି ନିଷ୍ପତ୍ତି ପୌରସଂସ୍ଥାଗୁଡିକ ଦ୍ବାରା ବହୁ ପ୍ରଶଂସିତ ହୋଇଥିବା କାରଣରୁ ଏହାଦ୍ବାରା ସାମଗ୍ରୀ କିଣିବା ଏବଂ ମଜୁରି ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ସହାୟକ ହେବ।

Comments are closed.