ପ୍ରତି ପଞ୍ଚାୟତରେ ଖୋଲିବ ମିଶନଶକ୍ତି ଗୃହ

0

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ମିଶନଶକ୍ତି ଗୃହ ନିର୍ମାଣ କରାଯିବ। ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ରେ କନ୍ଧମାଳ ଜିଲାର ଚକାପାଦ ଓ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ଦୁଇଜଣ ମହିଳା ଦେଇଥିବା ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲାର ୭ଟି ବ୍ଲକର ୧୧୭ଟି ପଞ୍ଚାୟତ ପାଇଁ ୨୬.୮୬ କୋଟି ଟଙ୍କାର ୧୧୫୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହାକୁ ମିଶାଇ ଏହି କାର୍ଯ୍ୟକ୍ରମ ରାଜ୍ୟର ୨୫୫ ବ୍ଲକରେ ପହଞ୍ଚିଛି। ଆଜି ସୁଦ୍ଧା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୫୫ଟି ବ୍ଲକର ୫୫୩୮ଟି ପଞ୍ଚାୟତର ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରି ୧୨୬୧.୨୦କୋଟି ଟଙ୍କାର ୫୧,୨୨୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ସମସ୍ତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲାର ପାପଡହାଣ୍ଡି ବ୍ଲକ ଅନ୍ତର୍ଗତ ୨୩ଟି ପଞ୍ଚାୟତ ପାଇଁ ୫.୭୫କୋଟି ଟଙ୍କାର ୨୪୫ଟି ପ୍ରକଳ୍ପ, ଜଗତସିଂହପୁର ଜିଲା ଏରସମା ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫.୫୦କୋଟି ଟଙ୍କାର ୩୮୭ଟି, ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୩.୫୯କୋଟି ଟଙ୍କାର ୧୫୨ଟି, ରରୁଆଁ ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨.୭୬କୋଟି ଟଙ୍କାର ୧୦୪ଟି, କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୪.୮୬କୋଟି ଟଙ୍କାର ୧୩୨ଟି, କନ୍ଧମାଳ ଜିଲା ଚକାପାଦ ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨.୪୦କୋଟି ଟଙ୍କାର ୮୯ଟି ଏବଂ ଜି.ଉଦୟଗିରି ବ୍ଲକର ୮ଟି ପଞ୍ଚାୟତ ପାଇଁ ୨କୋଟି ଟଙ୍କାର ୪୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।
ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ସ୍ୱଚ୍ଛତା ଓ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ‘ପିଠା’ ଯୋଜନା ଆରମ୍ଭ କରିଛନ୍ତି। ଆମ ଗାଁ ଆମ ବିକାଶରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କାର୍ଯ୍ୟକ୍ରମରେ ମନ୍ତ୍ରିପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ସଂପୃକ୍ତ ଜିଲାର ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply