ମିଶନ ଫେଲ, ଖାଲି ହାତରେ ଫେରିଲା ଭିଜିଲାନ୍ସ ଟିମ୍‌

ବାଲେଶ୍ୱର: ବାଲେଶ୍ବର ଅତିରିକ୍ତ ଜିଲାପାଳ (ଏଡିଏମ)ଙ୍କୁ ଟ୍ରାପ କରିବାକୁ ଯାଇ ଭିଜିଲାନ୍ସ ଟିମକୁ ଭାଣ୍ଡିଆ ହେବାକୁ ପଡ଼ିଛି। ମିଥ୍ୟା ଅଭିଯୋଗ ହେଉ କି କୌଣସି ଭିଜିଲାନ୍ସ କର୍ମଚାରୀଙ୍କ ଅସାଧୁ ପଣିଆ ହେଉ କି ବ୍ୟକ୍ତିଗତ ଆକ୍ରୋଶ ହେଉ, ଭିଜିଲାନ୍ସକୁ କିନ୍ତୁ ଅପମାନିତ ହେବାକୁ ପଡିଛି। ଏଡିଏମ ସମ୍ବିତ କୁମାର ନାୟକ ୮ ଲକ୍ଷ ଟଙ୍କା ନଗଦ ନେଇ ଯାଉଥିବାର କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ ବି କିଛି ପାଇ ନଥିଲା।

ଶନିବାର ସକାଳ ପ୍ରାୟ ୯ଟାରେ ଏଡିଏମ ସମ୍ବିତ କୁମାର ନାୟକ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ସମ୍ପର୍କିତ ବୁଝାସୁଝା କରିବା ପାଇଁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ସେ ଇଟା ଭାଟି ମାଲିକମାନଙ୍କଠାରୁ ୮ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା କୌଣସି ସୂତ୍ରରୁ ଭିଜିଲାନ୍ସ ଟିମ ପାଖରେ ସୂଚନା ରହିଥିଲା। ସୂଚନା ଅନୁସାରେ ଭିଜିଲାନ୍ସ ଟିମର କର୍ମଚାରୀ ଶେରଗଡ ଟୋଲଗେଟ ନିକଟରେ ତାଙ୍କର ଗାଡ଼ିକୁ ଅଟକାଇ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ହେଲେ କିଛି ଆପତ୍ତିଜନକ କାଗଜପତ୍ର, ବା ଅଧିକ ଟଙ୍କା ବାହାରି ନଥିଲା। ଫଳରେ ଖାଲି ହାତରେ ଭିଜିଲାନ୍ସ ଟିମକୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ଯାଞ୍ଚ ବେଳେ ଏଡିଏମ ଶ୍ରୀ ନାୟକ ଭିଜିଲାନ୍ସ ଟିମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ନିରାଶ ହୋଇଥିବା ଭିଜିଲାନ୍ସ ଏସପିଙ୍କୁ ଯୋଗଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ।

Comments are closed.