MEllora 950×100

ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ : ନବଜାତକ ସମେତ ୪ ମୃତ

କିଭ୍‌ : ୟୁକ୍ରେନର ରାଜଧାନୀ କିଭ୍ ଓ ଜାପୋରଝାଜିଆରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ରେ ୪ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ନବଜାତ ରହିଛି। ଜାପୋରଝାଜିଆ ଅଞ୍ଚଳରେ ଥିବା ହସ୍ପିଟାଲ ଉପରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ ହୋଇଛି। ଏହି କ୍ଷେପଣାସ୍ତ୍ର ମାଡରେ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଆଞ୍ଚଳକି ଗଭର୍ଣ୍ଣର ଓଲେକସାଣ୍ଡର ଷ୍ଟାରୁଖ କହିଛନ୍ତି। ତେବେ ନବଜାତକର ମା’ ଓ ଡାକ୍ତରଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଷ୍ଟାରୁଖ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ଭିଲନିଆସ୍କା ହସ୍ପିଟାଲର ପ୍ରସବ କେନ୍ଦ୍ରରେ ଗୋଟିଏ କ୍ଷେପଣାସ୍ତ୍ର ମାଡ ହୋଇଥିଲା। କ୍ଷେପଣାସ୍ତ୍ର ମାଡରେ ଦୁଇ ମହଲା ବିଶିଷ୍ଟ ପ୍ରସବ କେନ୍ଦ୍ରଟି ଧ୍ବଂସ ପାଇଯାଇଛି। ଏଥିରେ ଏକ ନବଜାତକର ମୃତ୍ୟୁ ହୋଇଛି। କ୍ଷେପଣାସ୍ତ୍ର ମାଡ ସମୟରେ ଡାକ୍ତରଖାନାର ଉକ୍ତ ୱାଡରେ ଜଣେ ମାତ୍ର ରୋଗୀ ଥିଲେ।
ସେହିପରି ରାଜଧାନୀ କିଭ୍‌ରେ ହୋଇଥିବା କ୍ଷେପଣାସ୍ତ୍ର ମାଡରେ ୩ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ ଉପ ବୈଦେଶିକ ମନ୍ତ୍ରୀ ଝେପାର କହିଛନ୍ତି ଯେ ରୁଷ୍‌ର କ୍ଷେପଣାସ୍ତ୍ର ମାଡରେ ଅନେକ ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ରୁଷ୍‌ର ନିୟମିତ ବ୍ୟବଧାନରେ କ୍ଷେପଣାସ୍ତ୍ର ମାଡ ଯୋଗୁଁ ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଥଇଥାନ କେନ୍ଦ୍ରରେ ବିଦ୍ୟୁତ୍, ପାଣି, ଇଣ୍ଟରନେଟ, ଔଷଧ ଆଦି ଯୋଗାଇ ଦେବାକୁ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ଘୋଷଣା କରିଛନ୍ତି। ୟୁକ୍ରେନର ସାଧାରଣ ଜନବସତି ଉପରେ ରୁଷ୍‌ର ନିୟମିତ କ୍ଷେପଣାସ୍ତ୍ର ମାଡକୁ ନେଇ ୟୁରୋପୀୟ ପାର୍ଲାମେଣ୍ଟର ସାଂସଦମାନେ ଏହି ରାଷ୍ଟ୍ରକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା ଲାଗି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ୟୁରୋପୀୟ ୟୁନିୟନର ସଂସଦରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ।

Comments are closed.