ମିର୍ଚ୍ଚପୁର ଦଳିତ ହତ୍ୟା ମାମଲା: ଦୋଷମୁକ୍ତଙ୍କୁ ଦୋଷୀ ଘୋଷଣା କଲେ ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ : ମିର୍ଚ୍ଚପୁର ଦଳିତ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ ଦୋଷମୁକ୍ତ ହୋଇଥିବା ୨୦ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦୋଷୀ ଘୋଷଣା କରିଛନ୍ତି। ଏଥିସହ ହାଇକୋର୍ଟ ମାମଲାର ୧୩ ଜଣ ଦୋଷୀଙ୍କ ଦଣ୍ଡାଦେଶ ବୃଦ୍ଧି କରିଛନ୍ତି। ଆଜି ଦୋଷୀ ଘୋଷିତ ମୋଟ ୩୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ହାଇକୋର୍ଟ। ବିଚାରପତି ଏସ୍‍. ମୂରଲୀଧର ଏବଂ ଆଇ. ଏସ୍‍. ମେହତାଙ୍କ ଖଣ୍ଡପୀଠ କହିଛନ୍ତି, ସ୍ୱାଧୀନତା ୭୧ ବର୍ଷ ପରେ ମଧ୍ୟ ଦେଶରେ ଅନୁସୂଚିତ ଜାତିଙ୍କ ପ୍ରତି ନିର୍ଯାତନା ହ୍ରାସପାଇ ନାହିଁ। ସମ୍ବିଧାନର ପ୍ରଣେତା ଡକ୍ଟର ବି. ଆର୍‍. ଆମ୍ବେଦକର ପ୍ରସ୍ତାବିତ ସମ୍ବିଧାନ ଉପସ୍ଥାପନ ବେଳେ ଯେଉଁ ଦୁଇଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିଲେ ବର୍ତ୍ତମାନ ଦେଶରେ ତାହାର ଅଭାବ ପରିଲକ୍ଷିତ ହେଉଛି। ପ୍ରଥମଟି ସମାନତା ଏବଂ ଦ୍ୱିତୀୟଟି ଭାତୃତ୍ୱ ବୋଲି ୨୦୯ ପୃଷ୍ଠା ସମ୍ବଳିତ ରାୟରେ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି। ୨୦୧୦ ଏପ୍ରିଲରେ ଜାଟ୍‍ ଏବଂ ଦଳିତଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ର କରି ଜାଟ୍‍ ସମ୍ପ୍ରଦାୟର ଶତାଧିକ ଲୋକ ହରିୟାଣାର ମିର୍ଚ୍ଚପୁର ଗ୍ରାମର ୭୦ବର୍ଷ ବୟସ୍କ ବୃଦ୍ଧ ତାରାଚାନ୍ଦଙ୍କ ଘରେ ନିଆଁ ଲଗାଇଦେଇଥିଲେ। ତାରାଚାନ୍ଦ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ମାମଲାରେ ତଳକୋର୍ଟ ୯୭ ଜଣଙ୍କୁ ଅଭିଯୁକ୍ତ କରିବା ସହ ୮୨ ଜଣଙ୍କୁ ଦୋଷମୁକ୍ତ କରିଥିଲେ। ୨୦୧୧ ଅକ୍ଟୋବରରେ ତଳକୋର୍ଟ ୧୫ ଜଣଙ୍କୁ ଦୋଷୀ ଘୋଷଣା କରି କାରାଦଣ୍ଡାଦେଶ ଦେଇଥିଲେ। ଉକ୍ତ ଦଣ୍ଡାଦେଷ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।

Leave A Reply