ଚମତ୍କାର – ନୀଳଗିରିର କୁନି ରାମଦେବ (ଦେଖନ୍ତୁ ଭିଡିଓ)

- ଦେଢ଼ବର୍ଷର ଶିଶୁକନ୍ୟାଙ୍କ ଚମତ୍କାରୀ ପ୍ରାଣାୟାମକୁ ନେଇ ଚର୍ଚ୍ଚା!

ନୀଳଗିରି: ବୟସ ମାତ୍ର ଦେଢ଼ବର୍ଷ। ଯୋଗ, ବ୍ୟାୟାମ କି ପ୍ରାଣାୟାମ ଭିତରେ ସେ ଅନଭିଜ୍ଞ, ନା ଜାଣିଛି ଯୋଗଗୁରୁ ରାମଦେବଙ୍କ ବ୍ୟାୟାମ। କିନ୍ତୁ ଏହି ଶିଶୁକନ୍ୟାର ଚମତ୍କାରୀ ପ୍ରାଣାୟାମକୁ ନେଇ ସମ୍ପ୍ରତି ନୀଳଗିରିରେ ଚର୍ଚ୍ଚା ଜୋର ଧରିଛି। ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ଛତ୍ରପୁର ପଞ୍ଚାୟତ ଅଧୀନ ଭାଲୁକପୋଷି ଗାଁ। ଏହି ଗାଁର ମହେଶ୍ୱର ବେହେରାଙ୍କ ପୁଅ ଭାଗବତ ୪ବର୍ଷ ପୂର୍ବେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟ ରାଇକମା ଗାଁର ଅଜୟ ବେହେରାଙ୍କ ଝିଅ ରଶ୍ମିତାଙ୍କ ହାତ ଧରିଥିଲେ। କେନ୍ଦୁଝରଗଡ଼ ଷ୍ଟେସନରେ ରେଳ ବିଭାଗର ଲୋକ ପାଇଲଟଭାବେ କାର୍ଯ୍ୟ କରୁଥିବା ଭାଗବତ ଓ ରଶ୍ମିତାଙ୍କ ଔରସରୁ ଜାତ ଶିଶୁକନ୍ୟାର ନାଁ ଖୁସି ଓରଫ ପୀହୁପ୍ରିୟଙ୍କାର ବୟସ ମାତ୍ର ଦେଢ଼ବର୍ଷ। ପାଟିରେ କେବଳ ବାବା ମାମାଙ୍କ ବ୍ୟତୀତ ଅନ୍ୟ ଶବ୍ଦ ସବୁ ଖନେଇ ଖନେଇ କହୁଥିଲେ ହେଁ ତାଙ୍କ ଚମତ୍କାରିତା କିନ୍ତୁ ବେଶ ଚର୍ଚ୍ଚା ହୋଇ ପଡ଼ିଛି।

ପ୍ରାୟ ମାସେ ପୂର୍ବରୁ ତାଙ୍କ ମା’ ରଶ୍ମିତା କୁନି ଝିଅକୁ ତେଲ ଲଗାଇ ଗାଧୋଇ ଦେଉଥିବା ସମୟରେ ଏହି ପ୍ରତିଭା ଜଣାପଡ଼ିଥିଲା। ମା’ ମୋ ପେଟକୁ ଦେଖ କହି ମା’ର ମୁହଁକୁ ହାତମାରି ବୁଲାଇ ଦେଇଥିଲା ସେ। ତାଙ୍କ ମା’ ଏସବୁ ଦେଖି ଚକିତ ହୋଇ ସ୍ୱାମୀ ଭାଗବତଙ୍କୁ ଭିଡ଼ିଓ କଲ ଜରିଆରେ ସମସ୍ତ ଦୃଶ୍ୟ ଦେଖାଇଥିଲେ। ଶିଶୁକନ୍ୟାଟି ଅତି ସହଜରେ ଏହି ରାମଦେବଙ୍କ ପ୍ରାଣାୟାମ କରିବାରେ ମାହିର। କେବଳ ପେଟକୁ ଗୋଳେଇବା ପ୍ରାଣାୟାମ ନୁହଁ ବରଂ ମୟୂରାସନ ଓ ଅନ୍ୟ ଯୋଗ ଗୁଡ଼ିକ ମଧ୍ୟ ସେ ଅକ୍ଳେଶରେ କରିପାରୁଥିବା ଦେଖିବାକୁ ମିଳିଛି। ନିଜ ଦେହ ଓ ମନକୁ ସୁସ୍ଥ ରଖିବାକୁ ତଥା ଏହି ପ୍ରାଣାୟାମର କୌଶଳ ଶିଖିବାକୁ ଯାହାଙ୍କୁ ବର୍ଷ ବର୍ଷ ଧରି ତପସ୍ୟା କରିବାକୁ ପଡ଼ୁଛି, ସମ୍ପୃକ୍ତା ଶିଶୁକନ୍ୟାଙ୍କ ପାଇଁ କିନ୍ତୁ ଏହା ଏକ ଯାଦୁ ପରି ଲାଗୁଛି। ପ୍ରାଣାୟାମ ବ୍ୟତୀତ ମଧ୍ୟ ଶିଶୁଟି ଦେହରେ ଏକାଧିକ ପ୍ରତିଭା ରହିଥିବା ଦେଖାଯାଇଛି। ଖେଳିବା ବୟସରେ ବହି ପଢ଼ିବାର ରୁଚି ରଖିବା, ପ୍ରତ୍ୟେକ କଥାକୁ ବହୁ ଶୀଘ୍ର ମନେ ରଖିବା ଏବଂ ସବୁ ଜିନିଷକୁ କପି କରିଦେବା ପ୍ରଭୃତି ପ୍ରତିଭା ପିଲାଟିର ଦେହରେ ଲାଖି ରହିଛି ବୋଲି ପରିବାର ଲୋକେ କହିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଶିଶୁକନ୍ୟାକୁ କୁନି ରାମଦେବ ବୋଲି ଅଞ୍ଚଳରେ ଚର୍ଚ୍ଚା କରୁଛନ୍ତି।

Comments are closed.