ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଲେ କରୋନା ଭାଇରସରେ ଆକ୍ରାନ୍ତ ମହିଳା

ନୂଆଦିଲ୍ଲୀ: କରୋନା ଭାଇରସ ନାମ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ମୃତ୍ୟୁର ଭୟ ଲୋକଙ୍କୁ ଘାରୁଛି। ଏହି ସମୟରେ କରୋନା ଭାଇରସରେ ଆକ୍ରାନ୍ତ ଚୀନର ଜଣେ ମହିଳା ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଶିଶୁଟିର ଓଜନ ୩.୫ କେଜି ରହିଛି। ନବଜାତ ଶିଶୁଟିର କରୋନା ଭାଇରସ ପରୀକ୍ଷା କରାଯାଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା। ଡାକ୍ତରଙ୍କ ନିରୀକ୍ଷଣରେ ଶିଶୁଟିକୁ ରଖାଯାଇଛି।

ସୁସ୍ଥ ଶିଶୁ ଜନ୍ମ ହେବା ପରେ ଟୁଇଟରେ ମହିଳାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଶିଶୁଟିର ମା’ଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଚୀନର ସରକାରୀ ମିଡିଆ ଆଉଟଲେଟ ସିନ୍‌ହୁଆ ସୁସ୍ଥ ଶିଶୁକୁ ନେଇ ଏକ ଭିଡିଓ କ୍ଳିପ୍ ଟୁଇଟ୍ କରିଛନ୍ତି। ଏହାର ଶୀର୍ଷକ ଦିଆଯାଇଛି ‘ଲକି ବେବି’।

ସୂଚନାଯୋଗ୍ୟ, ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୦୧୮କୁ ବୃଦ୍ଧି ହୋଇଛି। ବିଶ୍ବରେ ୪୩,୦୯୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏକ ସପ୍ତାହ ପୂର୍ବରୁ ଉତ୍ତରପୂର୍ବ ଚୀନରେ ଜଣେ କରୋନା ଭାଇରସ ଆକ୍ରାନ୍ତ ପ୍ରସୂତି ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ।

Comments are closed.