୫୬ ଟଙ୍କା ପାଇଁ ଟୋଲ ପ୍ଲାଜାରେ ମନ୍ତ୍ରୀଙ୍କ ପତ୍ନୀଙ୍କ ହଙ୍ଗାମା

ହାଇଦ୍ରାବାଦ: ମାତ୍ର ୫୬ ଟଙ୍କାର ଟୋଲ ଟିକସ ପାଇଁ ଟୋଲ ପ୍ଲାଜାରେ ହଙ୍ଗାମା କରିଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ମନ୍ତ୍ରୀଙ୍କ ପତ୍ନୀ। ଘଟଣାଟି ଘଟିଛି ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ଅନ୍ତର୍ଗତ ହାଇଦ୍ରାବାଦ-ଗୁଣ୍ଟୁର ରାସ୍ତାରେ। ଆନ୍ଧ୍ରପ୍ରଦେଶର ଯୋଗାଣ ମନ୍ତ୍ରୀ ପ୍ରାଥିପତି ପୁଲ୍ଲା ରାଓଙ୍କ ପତ୍ନୀ ପି. ଭେଙ୍କଟ କୁମାରୀ କାର୍‌ରେ ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିଲେ। ମଦଗୁଲାପଲ୍ଲିଠାରେ ଏକ ଟୋଲ ପ୍ଲାଜାରେ କର୍ମଚାରୀ ତାଙ୍କୁ ଟିକସ ବାବଦରେ ୫୬ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସେ ଟଙ୍କା ଦେବା ବଦଳରେ କର୍ମଚାରୀଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ। ଏପରି କି ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାର ଏକ ଭିଡିଓ ଶନିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମନ୍ତ୍ରୀଙ୍କ ପତ୍ନୀ ରାଗିଯାଇ ଟୋଲ ପ୍ଲାଜାରେ ହଙ୍ଗାମା କରିଥିଲେ। ମନ୍ତ୍ରୀଙ୍କ ପତ୍ନୀ ହିସାରେ ସେ ସବୁ ଟୋଲ ପ୍ଲାଜା ଦେଇ ମାଗଣାରେ ଯାତାୟାତ କରିବେ ବୋଲି କହିଥିଲେ। ଗାଡ଼ିରେ ବିଧାୟକଙ୍କ ନାମ ଥିବା ଷ୍ଟିକର ଲଗାଯାଇଛି। ତେଣୁ ଏହାକୁ  ଅଟକାଯାଇପାରିବ ନାହିଁ।

ଅନ୍ୟପଟେ କର୍ମଚାରୀମାନେ କହିଥିଲେ ଯେ, ଯଦି ଗାଡ଼ିରେ ବିଧାୟକ ଯାତ୍ରା କରୁଥିବେ ତେବେ ତାଙ୍କୁ ଅଟକାଯିବ ନାହିଁ। କିନ୍ତୁ ଅନ୍ୟ କେହି ଗାଡ଼ିରେ କଲେ ତାଙ୍କୁ ଟିକସ ଦେବାକୁ ପଡ଼ିବ। ଏପରି କି ଏମଏଲଏ ଷ୍ଟିକରର ଅବଧି ୨୦୧୮ ଡିସେମ୍ବରରୁ ଶେଷ ହୋଇଯାଇଥିବା କର୍ମଚାରୀ ଜଣକ ଦର୍ଶାଇଥିଲେ। ମାତ୍ର ମନ୍ତ୍ରୀଙ୍କ ପତ୍ନୀ ତାଙ୍କ ସହ ଯୁକ୍ତିତର୍କ ଜାରି ରଖିବାରୁ ସେଠାରେ ଟ୍ରାଫିକ ଜାମ ହୋଇଥିଲା। ଯେକୌଣସି ପରିସ୍ଥିତିରେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ, ନଚେତ ଗାଡ଼ିକୁ ଛଡ଼ାଯିବ ନାହିଁ ବୋଲି କର୍ମଚାରୀ ଜଣକ କହିବାରୁ ବାଧ୍ୟ ହୋଇ ସେ ଟିକସ ଦେଇଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀଙ୍କ ପତ୍ନୀ କହିଥିଲେ ଯେ, ସେ ପୂର୍ବରୁ କେବେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିଲେ। ସେ ନିୟମିତ ସେହି ରାସ୍ତାରେ ଯାଉଥିଲେ ମଧ୍ୟ କୌଣସି ଟୋଲ ପ୍ଲାଜା ତାଙ୍କ ଗାଡ଼ିକୁ ଅଟକାଇ ଟିକସ ମାଗି ନ ଥିଲେ। ସୂଚନାଯୋଗ୍ୟ, ପି. ଭେଙ୍କଟ କୁମାରୀ ଟିଡିପିର ଜଣେ ସକ୍ରିୟ କର୍ମୀ।

Comments are closed.