୧୩ ଦିନ ଶୁଣାଣିରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ

0

ଭୋପାଳ : ମଧ୍ୟପ୍ରଦେଶର ସ୍ୱତନ୍ତ୍ର କୋର୍ଟ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ମାତ୍ର୧୩ ଦିନରେ ଶେଷ କରି ଅଭିଯୁକ୍ତ ଜିତେନ୍ଦ୍ର କୁଶୱାହକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହା ସମ୍ଭବତଃ ଦେଶର ସବୁଠୁ କମ୍‍ ଦିନରେ ଶୁଣାଣି ଶେଷ ହୋଇଥିବା ମାମଲା। ତେବେ ସ୍ୱତନ୍ତ୍ର କୋର୍ଟଙ୍କ ଏଭଳି ତ୍ୱରିତ୍‍ ବିଚାର ପ୍ରକ୍ରିୟା ନାବାଳିକାଙ୍କ ପ୍ରତି ବଳାତ୍କାର ଘଟଣା ରୋକିବା ଦିଗରେ ବିଶେଷ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଫୋରେନ୍ସିକ୍‍ ଅଧିକାରୀ, ପୀଡ଼ିତାଙ୍କ ମାତାପିତା, ପୁଲିସ ଏବଂ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ମୋଟ ୩୩ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ସ୍ୱତନ୍ତ୍ର ବିଚାରପତି ଅର୍ଚ୍ଚନା ସିଂହ ଚୂଡାନ୍ତ ରାୟ ଦେଇଛନ୍ତି। ବିଚାରପତି ଆଇପିସି ଧାରା ୩୭୬ ଏବି ଏବଂ ୩୦୨ ଅଧୀନରେ ଜିତେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଜୁନ୍‍ ୨୦-୨୧ରେ ଗ୍ୱାଲିୟରଠାରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ୬ ବର୍ଷ ବୟସ୍କ ଉକ୍ତ ନାବାଳିକାକୁ ଜିତେନ୍ଦ୍ର ଚକୋଲେଟ୍‍ ପ୍ରଲୋଭନ ଦେଇ ନିକାଞ୍ଚନ ସ୍ଥାନକୁ ନେଇ ଆସିଥିଲା। ସେଠାରେ ତାକୁ ସେ ବଳାତ୍କାର କରିବା ପରେ ହତ୍ୟା କରିଥିଲା। ପୁଲିସ ଜୁନ୍‍ ୨୨ରେ ଜିତେନ୍ଦ୍ରକୁ ଗିରଫ କରିଥିଲା।
ତା’ ବିରୋଧରେ ଜୁଲାଇ ୨ରେ ଅଭିଯୋଗଫର୍ଦ ଦାଖଲ ହୋଇଥିଲା। ଶୁଣାଣି ବେଳେ ତାକୁ ମାତ୍ର ୨ ଥର କୋର୍ଟରେ ହାଜର କରାଯାଇଥିଲା। ସେ ନିଜକୁ ପ୍ରଥମେ ନିର୍ଦୋଷ ଦର୍ଶାଇଥିଲେ ମଧ୍ୟ ପରେ ଦୋଷ ସ୍ୱୀକାର କରିଥିଲା। ତେବେ ଓକିଲ ଏବଂ ଅନ୍ୟମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ଆଶଙ୍କା ଥିବାରୁ ଜିତେନ୍ଦ୍ରକୁ ଚୂଡାନ୍ତ ଶୁଣାଣି ପାଇଁ କୋର୍ଟକୁ ଅଣାଯାଇ ନ ଥିଲା। ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ବିଚାରପତି ତାକୁ ଦଣ୍ଡାଦେଶ ଶୁଣାଇ ଥିଲେ। ସିସିଟିଭି ଫୁଟେଜ୍‍ ଏହି ମାମଲାର ମୁଖ୍ୟ ପ୍ରମାଣ ଥିଲା। କାରଣ ଚକୋଲେଟ୍‍ ବିକାଳୀ ଅଭିଯୁକ୍ତ ଜିତେନ୍ଦ୍ର ଜୁନ୍‍ ୨୦-୨୧ ରାତି ୧ଟା୨୩ ମିନିଟ୍‍ରେ ପୀଡ଼ିତା ସହିତ କେଉଁଆଡେ ଯାଉଥିବା ବେଳେ ୨ଟା ୪୮ ମିନିଟ୍‍ରେ ଏକା ଫେରିଥିବା ସିସିଟିଭି ଫୁଟେଜ୍‍ରେ ଦେଖିବାକୁ ମିଳିଥିଲା। ପରଦିନ ପୂର୍ବାହ୍ଣ ୯ଟାରେ ପୀଡ଼ିତାର ମୃତଦେହ ଉଦ୍ଧାର କରାଯାଇଥିଲା। ଫରେନ୍ସିକ୍‍ ରିପୋର୍ଟ ମଧ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହୋଇଥିଲା ବୋଲି ଅତିରିକ୍ତ ଜିଲା ସରକାରୀ ଓକିଲ ଅନୀଲ ମିଶ୍ର ପ୍ରକାଶ କରିଛନ୍ତି।

Leave A Reply