କରୋନାରେ ପିତାମାତା ମୃତ, ଅନାଥ ନାବାଳିକା ଝିଅ କୋଭିଡ଼ ଯତ୍ନ କେନ୍ଦ୍ରରେ

ଚୌଦ୍ୱାର : ଗତ କିଛିଦିନ ତଳେ ବାପା କରୋନାରେ ଚାଲିଗଲେ ଆରପାରିକୁ। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମା’ ମଧ୍ୟ ଗତ ଶୁକ୍ରବାର ଦିନ ମୃତ୍ୟୁ ବରଣ କଲେ। ବାପା ମାଙ୍କୁ ହରାଇ ଏବେ ଅନାଥ ହୋଇ ଯାଇଛି ସେମାନଙ୍କର ଏକମାତ୍ର ନାବାଳିକା ଝିଅ ରୁକ୍ମିଣୀ(୧୪)। ସେ ମଧ୍ୟ କରୋନା ପଜିଟିଭ ଥିବା ଜାଣିବା ପରେ ତାକୁ ହିନ୍ଦ୍‍ ସେବକ ସଂଘର ଚୌଦ୍ୱାର କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ଖୋଲା ଯାଇଥିବା କୋଭିଡ଼ ଯତ୍ନ କେନ୍ଦ୍ରରେ ରଖା ଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ଘଟଣାରୁ ପ୍ରକାଶଯେ ଚୌଦ୍ୱାର ପୌରପାଳିକା ୧୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ଗଉଡ଼ ସାହିରେ ଭଡ଼ାରେ ରହୁଥିଲେ ନାରାୟଣ ବିଶ୍ୱାଳ, ତାଙ୍କ ପତ୍ନୀ ସରୋଜିନୀ ଓ ଏକମାତ୍ର ଝିଅ ରୁକ୍ମିଣୀ। କରୋନାରେ ପୀଡ଼ିତ ହୋଇ ଉଭୟ ବାପା ଓ ମା ପଛକୁ ପଛ ଆରପାରିକୁ ଚାଲିଗଲା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଅନାଥ ଓ ଏକା ହୋଇ ଯାଇଛି ରୁକ୍ମିଣୀ। ମା’ ର ମୃତ୍ୟୁ ଦିନ ରୁକ୍ମିଣୀର ନମୁନା ପରୀକ୍ଷା କରାଯିବାରେ ସେ କରୋନା ପଜିଟିଭ ଥିବା ଜଣା ପଡ଼ିଥିଲା। ଝିଅଟିର ଅବସ୍ଥା ଦେଖି ଘର ମାଲିକ ଚାଇଲ୍ଡ ଲାଇନ୍‍କୁ ଖବର ଦେଇଥିଲେ। ଖବର ପାଇ ଚାଇଲ୍ଡ ଲାଇନ୍‍ର ଜିଲା ସଂଯୋଜକ ନାରାୟଣ ଶୁକ୍ଳା ଓ ଟାଙ୍ଗୀ-ଚୌଦ୍ୱାର ଟାସ୍କ ଫୋର୍ସ କମିଟି ସଦସ୍ୟ ନରୋତ୍ତମ ଦାସ ରବିବାର ଦିନ ରୁକ୍ମିଣୀକୁ ଉଦ୍ଧାର କରି ହିନ୍ଦ୍‍ ସେବକ ସଂଘସ୍ଥିତ ଶିଶୁ କୋଭିଡ଼ ନିଦାନ କେନ୍ଦ୍ରରେ ଭର୍ତି କରିଛନ୍ତି। କେନ୍ଦ୍ରର ମୁଖ୍ୟ ଦାମୋଦର ସାହୁଙ୍କତ୍ତତତ୍ୱାବଧାନରେ ରୁକ୍ମିଣୀର ଚିକିତ୍ସା ଆରମ୍ଭ କରାଯାଇଛି।

Comments are closed.