ହାଇୱା ଚକ ତଳେ ଗଲା ନାବାଳକର ଜୀବନ

ଚୌଦ୍ୱାର : ଚୌଦ୍ୱାର ଥାନା ଟିପିଏମ ଫାଣ୍ଡି ଅଧିନ ଇନ୍ଦ୍ରାଣୀ ପାଟଣା ସ୍ଥିତ ଏକ ପାହାଡରୁ ମୋରମ ଖୋଳା ଚାଲିଥିବାବେଳେ ହାଇୱା ଚକତଳେ ଚାପିହୋଇ ଜଣେ ନାବାଳକର ମୃତ୍ୟୁ ଘଟିବା ସହିତ ଅନ୍ୟଜଣେ ଆହତ ହୋଇଥିବା ଜଣା ପଡ଼ିଛି। ମୃତକ ଜଣକ ହେଲା ଢେଙ୍କାନଳ ଜିଲ୍ଲା ଗଁଦିଆ ଥାନା ସାପୁଆଝର ଗ୍ରାମର ନାବାଳକ ସନ୍ତୋଷ ଦେହୁରୀ(୧୬)। ଆହତ ଜଣକର ପରିଚୟ ମିଳିପାରିନାହିିଁ। ଟିପିଏମ୍‍ ଫାଣ୍ଡି ଅଧିକାରୀ ଜୋସେଫ ଏକ୍କାଙ୍କ ସୂଚନା ଅନୁଯାୟୀ ଜାତୀୟ ରାଜପଥ ସପ୍ରସାରଣ କାର୍ଯ୍ୟ ପାଇଁ ଏହି ପାହାଡ଼ରୁ ମୋରମ ଖୋଳାଯାଇ ମୋରମକୁ ହାଇୱା ଯୋଗେ ନିଆଯାଇ ନିକଟସ୍ତ ୫୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟରେ ଲଗା ଯାଉଥିଲା। ଶୁକ୍ରବାର ଦିନ ୧୨ଟା ସମୟରେ ଏକ ହାଇୱାରେ ମୋରମ ଲୋଡ ହେବା ପାଇଁ ଖାଦାନ ଭିତରେ ଠିଆ ହୋଇଥିବା ବେଳେ ହାଇୱାଟି ଗଡିଯାଇ ପଛରେ ଛିଡା ହେଇଥିବା ତଥା ଡ୍ରାଇଭିଙ୍ଗ ଶିଖିବା ପାଇଁ ହେଲପରିଂ କରୁଥିବା ନାବାଳକ ସନ୍ତୋଷ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ସୁଚନାଯୋଗ୍ୟ ସନ୍ତୋଷର ମାମୁଁ ଏକ ପ୍ରୋକଲିନ ଡ୍ରାଇଭର ଭାବେ ଏଠାରେ କାମ କରୁଥିବାବେଳେ ସନ୍ତୋଷକୁ ଡ୍ରାଇଭିଙ୍ଗ ଶିଖାଇବା ପାଇଁ ସେ କିଛି ଦିନ ହେବ ତାଙ୍କ ପାଖରେ ଆଣି ରଖିଥିଲେ। ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସନ୍ତୋଷର ପରିବାର ଲେକଙ୍କୁ ଡାକି ଅଧିକ ତଦନ୍ତ ଜାରୀ ରଖିଛି।

Comments are closed.