ମକର ବୁଡ଼ ବେଳେ ନଦୀରେ ବୁଡ଼ି ନାବାଳକ ମୃତ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ମୁଣ୍ଡା ସାହିରେ ମକର ସଂକାନ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ମୁଣ୍ଡା ସାହିର ଜଣେ ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଉଛନ୍ତି ରାମ ମୁଣ୍ଡାଙ୍କ ପୁଅ ଓମ ସାଇ ମୁଣ୍ଡା(୬)।

ସୂଚନା ଅନୁସାରେ, ଓମ୍‌ ବୁଧବାର ଅପରାହ୍ନରେ ନିଜ ପରିବାର ସହ ବୈତରଣୀ ନଦୀର ଉଦୟପୁର ଘାଟକୁ ମକର ସଂକ୍ରାନ୍ତି ବୁଡ଼ ପକାଇବାକୁ ଯାଇଥିଲେ। ସେ ଗାଧୋଉଥିବା ବେଳେ ହଠାତ୍‌ ପାଣିରେ ବୁଡିଯାଇଥିଲେ। ଘର ଲୋକେ ତାଙ୍କୁ ଉଦ୍ଧାର କରି ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି(ଗୁରୁବାର) ପାଟଣାରେ ନାବାଳକଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.