ସ୍କୁଲ ଖୋଲିବା ନେଇ ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି

ଶିକ୍ଷା ମନ୍ତ୍ରଣାଳୟ ଆଜି ଦେଶରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ ମାଧ୍ୟମରେ ସ୍କୁଲ ଖୋଲିବା ପାଇଁ ଗାଇଡଲାଇନ ବିଷୟରେ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟ ସରକାରଗୁଡିକ ବିଦ୍ୟାଳୟଗୁଡ଼ିକ ସହିତ ପରାମର୍ଶ, ପରିଚାଳନା କମିଟି ସହ ଆଲୋଚନା ଓ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ଅକ୍ଟୋବର ୧୫ ପରେ ବିଦ୍ୟାଳୟ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ବିଷୟରେ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି।

ଏହି ନିର୍ଦ୍ଦେଶାବଳୀର ପ୍ରଥମ ଭାଗରେ ବିଦ୍ୟାଳୟ ଖୋଲିବା ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଦିଗଗୁଡିକ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲ ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀଗୁଡିକୁ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ଗ୍ରହଣ କରିବାକୁ କୁହାଯାଇଛି। ଏଥିରେ ବିଦ୍ୟାଳୟ ପରିସରରେ ଥିବା ଆସବାବପତ୍ର, ଯନ୍ତ୍ରପାତି, ଷ୍ଟେସନାରୀ, ଷ୍ଟୋରେଜ୍ ସ୍ଥାନ, ପାଣି ଟାଙ୍କି, ରୋଷେଇ ଘର, କ୍ୟାଣ୍ଟିନ, ଟଏଲେଟ, ପରୀକ୍ଷାଗାର ଓ ପାଠାଗାରକୁ ପରିଷ୍କାର ଏବଂ ସାନିଟାଈଜ ପାଇଁ ବ୍ୟବସ୍ଥା କରିବାକୁ ଓ ଶ୍ରେଣୀ ଗୃହ ମଧ୍ୟକୁ ବାୟୁ ପ୍ରବାହ ସୁନିଶ୍ଚିତ କରିବାକୁ କୁହାଯାଇଛି।

ବିଦ୍ୟାଳୟଗୁଡ଼ିକର ଦାୟିତ୍ୱ
୧. ଜରୁରୀକାଳୀନ ଯତ୍ନ ଓ ସହାୟତା ପାଇଁ ଦଳ ଗଠନ
୨. ସ୍ୱଚ୍ଛତା ଯାଞ୍ଚ ଦଳ ଗଠନ
୩. ନିଜସ୍ୱ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା
୪. ଶାରୀରିକ ଓ ସାମାଜିକ ଦୂରତା ବିଷୟରେ ପିତାମାତାଙ୍କୁ ଜଣାଇବା
୫. ଶାରୀରିକ ଦୂରତା ଓ ସାମାଜିକ ଦୂରତା ସୁନିଶ୍ଚିତ କରିବା
୬. ଶ୍ରେଣୀ ଗୃହରେ ବସିବା ଯୋଜନା, ଓ ସମୟ ନିର୍ଘଣ୍ଟ ସ୍ଥିର କରିବା
୭. ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଫେସ୍ କଭର / ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା
୮. ଏକତ୍ର ଖାଇବା, ପରୀକ୍ଷାଗାରରେ କାର୍ଯ୍ୟ କରିବା କିମ୍ବା ଲାଇବ୍ରେରୀରେ ପଢିବା ବାରଣ କରିବା
୯. ଚିତ୍ର ମାଧ୍ୟମରେ ଶାରୀରିକ, ସାମାଜିକ ଦୂରତା ଏବଂ ସୁରକ୍ଷା ପ୍ରୋଟୋକଲଗୁଡିକ କାର୍ଯ୍ୟକାରୀ କରିବା
୧୦. ଛାତ୍ରଛାତ୍ରୀ ସ୍କୁଲ ଆସିବା ପୂର୍ବରୁ ପିତାମାତାଙ୍କ ସହମତି ଗ୍ରହଣ କରିବା
୧୧. ସମସ୍ତ ଶ୍ରେଣୀ ପାଇଁ ଶୈଖିକ କ୍ୟାଲେଣ୍ଡର ପରିବର୍ତ୍ତନ ପାଇଁ ଯୋଜନା କରିବା
୧୨. ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇବା
୧୩. ବିଦ୍ୟାଳୟରେ କିମ୍ବା ଅଳ୍ପ ଦୂରତାରେ ତାଲିମପ୍ରାପ୍ତ ନର୍ସ, ଡାକ୍ତର କିମ୍ବା ପରାମର୍ଶଦାତା ଥିବା ନିଶ୍ଚିତ କରିବା
୧୪. ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଶ୍ଚିତ କରିବା
୧୫. ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ସଂଗ୍ରହ କରିବା
୧୬. ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଏବଂ ଜିଲ୍ଲା ହେଲ୍ପଲାଇନ ଏବଂ ନିକଟତମ କୋଭିଡି କେନ୍ଦ୍ର ସହ ଯୋଗାଯୋଗ ନିମନ୍ତେ ପ୍ରସ୍ତୁତ ରହିବା

ଏହି ନିର୍ଦ୍ଦେଶାବଳୀର ଦ୍ଵିତୀୟ ଭାଗରେ ଶିକ୍ଷାଦାନ ଯେପରିକି ପାଠ୍ୟ ସାରଣୀ, ସମୟ ସାରଣୀ, ମୂଲ୍ୟାଙ୍କନ ଆଦି ସମ୍ପର୍କରେ କୁହାଯାଇଛି। ରାଜ୍ୟଗୁଡିକ ନିଜସ୍ୱ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ମଧ୍ୟ ଏଥିରେ କୁହାଯାଇଛି।

ନିର୍ଦ୍ଦେଶାବଳୀର ଦ୍ଵିତୀୟ ଭାଗ
୧. ଶିକ୍ଷଣ ଫଳାଫଳ ଉପରେ ଧ୍ୟାନ ଦେଇ ସମଗ୍ର ବର୍ଷ ପାଇଁ କାର୍ଯ୍ୟକଳାପର ଏକ ବିସ୍ତୃତ ବିକଳ୍ପ କ୍ୟାଲେଣ୍ଡର ପ୍ରସ୍ତୁତ କରିବା | ୨. ଯଥାସମ୍ଭବ ଶ୍ରେଣୀରେ ଆଇସିଟି ସଂଯୋଗ କରିବା ଓ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା
୩. ଭାଷା, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ବିଷୟ ଶିକ୍ଷାଦାନରେ କରୋନା ସମ୍ପର୍କିତ ସଚେତନତା ସୃଷ୍ଟି କରିବା
୪. ଶିକ୍ଷକମାନେ ଛାତ୍ରମାନଙ୍କ ସହିତ ପାଠ୍ୟକ୍ରମ ସମ୍ପର୍କରେ ନିୟମିତ ଆଲୋଚନା କରିବା
୫. ଭୂମିହୀନ, ସ୍ଥାନାନ୍ତରିତ, ଭିନ୍ନକ୍ଷମ ଏବଂ କୋଭିଡ -୧୯ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବା
୬. ଡିଜିଟାଲ୍ ଏବଂ ଅନଲାଇନ ଶିକ୍ଷା ବ୍ୟବସ୍ଥା ବ୍ୟବହାର କରି ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା

Comments are closed.