ବିବାଦରେ ବିଧାୟକଙ୍କ ପୁଅ, ଦୁଷ୍କର୍ମ ପୀଡ଼ିତାଙ୍କୁ ଧମକ ଅଭିଯୋଗ

କେଶଦୁରାପାଳ: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇଥିବା ନେଇ ଏକ ଅଡିଓ ଭାଇରାଲ ହେବା ପରେ ପୁଣି ବିବାଦ ଘେରକୁ ଆସିଛନ୍ତି ଘଷିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦନପୁର ଅଞ୍ଚଳର ଜଣେ ଯୁବତୀ ହରିପୁର ଗ୍ରାମର ସୁଜିତ ଜେନା ନାମକ ଜଣେ ଯୁବକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ବିବାହ ପ୍ରଲୋଭନ ଦେଖାଇ ସୁଜିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସୁଜିତ ବିବାହ କରିଥିବା ନେଇ ଜାଣିବା ପରେ ଯୁବତୀ ପ୍ରତିବାଦ କରିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ଏନେଇ ଗତ ୧୫ ତାରିଖ ଦିନ ରାମଚନ୍ଦ୍ରପୁର ଥାନାରେ ପୀଡ଼ିତା ଏତଲା ଦେଇଥିଲେ । ତେବେ ଏତଲା ଦେବା ପରେ ସଂପୃକ୍ତ ଯୁବତୀଙ୍କ ଘରକୁ ଘଷିପୁରା ବିଧାୟକ ପୁଅ ଦେବାଶିଷ ପାତ୍ର ଯାଇ ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ। ଏନେଇ ଏକ ଅଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି।

ଏପରିକି ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଦେବାଶିଷ ପାତ୍ର ଓ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟଙ୍କ ଭାଇ ପ୍ରଦୀପ ସାହୁ ପୀଡ଼ିତାଙ୍କ ଘରକୁ ଯାଇ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ରାମଚନ୍ଦ୍ରପୁର ପୋଲିସ ଅସଦାଚରଣ ଅଭିଯୋଗ ରେ ଅଭିଯୁକ୍ତ ସୁଜିତ କୁ କୋର୍ଟ ଚାଲାଣ କରିଥିବା ବେଳେ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Comments are closed.