ଜଳ ସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ ସମୀକ୍ଷା ବୈଠକ

ଭୁବନେଶ୍ୱର : ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଏହାର ନିୟନ୍ତ୍ରଣ ସଂପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜୀବ
ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଜଳ ସମ୍ପଦ, ସୂଚନା
ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅଧ୍ୟକ୍ଷତା କରି ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ଆଗକୁ ମୌସୁମୀ ଜନିତ ବର୍ଷା, ଲଘୁଚାପ ବା ବାତ୍ୟା ହେଲେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିପାଇଁ ମନ୍ତ୍ରୀ ଶ୍ରୀ ଦାସ ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିବା ସହିତ କହିଲେ ଯେ, ଜଳ ସଂପଦ ବିଭାଗର ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନେ ବନ୍ୟା ନିୟନ୍ତ୍ରଣ ସଂପର୍କରେ ସେମାନଙ୍କର ରହିଥିବା ଅଭିଜ୍ଞତାକୁ ପାଥେୟ କରି ସତର୍କତା ଓ ସଜାଗ ହୋଇ କାର୍ଯ୍ୟ କରନ୍ତୁ, ଯେପରି ବନ୍ୟା ସ୍ଥିତି ଉପୁଜିଲେ ଲୋକମାନଙ୍କର ଧନଜୀବନ କ୍ଷତି ହେବ ନାହିଁ। ବିଭାଗୀୟ ସବୁ ଡିଭିଜନ କାର୍ଯ୍ୟାଳୟର ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ସୂଚନା ସରବରାହ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱ ଦେଇଥିଲେ। ସୂଚନା ଯୋଗ୍ୟ ଯେ, ଇତି ମଧ୍ୟରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଜୁନ୍‍ ୨୫ ତାରିଖରୁ ଜଳ ଭଣ୍ଡାରରୁ ପ୍ରଥମ ପର୍ଯ୍ୟାୟ ଅତିରିକ୍ତ ଜଳ ନିଷ୍କାସନ କରାଯାଉଛି। ଅନୁଷ୍ଠିତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦେଇ ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ବିଭାଗୀୟ ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ। ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ , ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ପ୍ରକାଶ ଥାଉକି, ପୂର୍ବରୁ ଦୁର୍ବଳ ନଦୀବନ୍ଧ ସ୍ଥାନଗୁଡିକୁ ଚିହ୍ନଟ କରାଯାଇ ଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ବିଭିନ୍ନ ସ୍ତରରେ ଥିବା ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ତଦାରଖ କରାଯାଇ ଆବଶ୍ୟକ ମରାମତି କରାଯାଇଛି। ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ନେଇ ବିଭିନ୍ନ ସ୍ତରରେ ପୂର୍ବରୁ ବୈଠକ ହୋଇଛି। ୨୦୧୯ ମସିହାରେ ମଧ୍ୟମ ଓ ସ୍ୱଳ୍ପ ବନ୍ୟା ଯୋଗୁଁ ହୋଇଥିବା ଆଂଶିକ କ୍ଷତିଗ୍ରସ୍ତ ବନ୍ଧ ଓ ଘଳିଆ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏ ବର୍ଷ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଖାଲି ସିମେଣ୍ଟ ବସ୍ତା, ବାଲି, ବାଉଁଶ, ବଲ୍ଲା ଆଦି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସ୍ଥିତି ଉପୁଜିଲେ ଯେପରି ରିଲିଫ୍‍ ସାମଗ୍ରୀ ପ୍ରଭାବିତ ଅଂଚଳମାନଙ୍କୁ ପହଁଚିପାରିବ, ସେଥିପ୍ରତି ଦୃଷ୍ଟି ଦେଇ ଜଳ ସଂପଦ ବିଭାଗ ଅଧୀନସ୍ଥ ସମସ୍ତ ନଦୀବନ୍ଧ ରାସ୍ତାକୁ ଗମନାଗମନ ଦୃଷ୍ଟିରୁ ଆବଶ୍ୟକ ମରାମତି କରାଯାଇଛି। ସମସ୍ତ ସ୍ଲୁଇସ୍‍ ଗେଟ୍‍ କାର୍ଯ୍ୟକ୍ଷମ ହୋଇଛି। ଇତି ମଧ୍ୟରେ ବରିଷ୍ଠ ଯନ୍ତ୍ରୀମାନେ ସମସ୍ତ ଜିଲ୍ଲା ଗସ୍ତ କରି ନଦୀବନ୍ଧ ପରିଦର୍ଶନ କରିଛନ୍ତି। ଜରୁରୀ ସ୍ଥିତି ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ମଣ୍ଡଳ ସ୍ତରୀୟ ଓ ଡିଭିଜନ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

Comments are closed.